ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଆରେ ଶିକ୍ଷାଦାନ ପାଇଁ ଇଗ୍ନୋଉ ସହ ବୁଝାମଣା କରିଛି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ। ଏଥିପାଇଁ 2 ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ବିଭାଗ ଖର୍ଚ୍ଚ କରିବ 2 କୋଟି 45 ଲକ୍ଷ ଟଙ୍କା। ଯେଉଁଥିରେ ପାଖାପାଖି 500ରୁ ଅଧିକ କୋର୍ସର ଲାଭ ପାଇବେ ଛାତ୍ରଛାତ୍ରୀ।
ଉଚ୍ଚ ଶିକ୍ଷା ଏବଂ ବୃତ୍ତିଗତ ଶିକ୍ଷାକୁ ଓଡ଼ିଆରେ ପାଠ ପଢ଼ିବେ ପିଲା। ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ- IGNOU ସହ ଉଚ୍ଚ ଶିକ୍ଷା ବିଭାଗ ଏନେଇ ଚୁକ୍ତି ସ୍ବାକ୍ଷରିତ କରିଛି। IGNOU ଅଧୀନରେ ଥିବା ସମସ୍ତ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ସହ ପିଲାଙ୍କୁ ପାଠ୍ୟ ପୁସ୍ତକ ଏବଂ ଡିଜିଟାଲ ପ୍ରିଣ୍ଟ ଯୋଗାଇଦେବ ଇଗ୍ନୋଉ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ସରିବ ଏହି ପ୍ରକ୍ରିୟା। IGNOU ଅଧୀନରେ ଥିବା 50ରୁ ଅଧିକ ପାଠ୍ୟକ୍ରମ ଉଭୟ ସାର୍ଟିଫିକେଟ ଓ ଡିପ୍ଲୋମା କୋର୍ସକୁ ଓଡ଼ିଆରେ ଅନୁବାଦ କରାଯିବ। 4 ଶହରୁ ଅଧିକ ୟୂଜି ଏବଂ 200 ପିଜି କୋର୍ସର ଲାଭ ପାଇବେ ଛାତ୍ରଛାତ୍ରୀ।
ଏଥିପାଇଁ 2 କୋଟି 45 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “୪ ଶହରୁ ଅଧିକ ୟୂଜି ଏବଂ ୨୦୦ ପିଜି କୋର୍ସର ଛାତ୍ରଛାତ୍ରୀ ଏହାର ଲାଭ ପାଇବେ. ଏହା ସହିତ ମଧ୍ୟ ଡିପ୍ଲୋମାରେ ଥିବା ଅଧିକାଂଶ କୋର୍ସ ମଧ୍ୟ ଓଡ଼ିଆରେ ଅନୁବାଦ କରାଯିବ। ଦୁଇ ବର୍ଷ ପାଇଁ ଏହି ପ୍ରକଳ୍ପର ମୂଲ୍ୟ ଧର୍ଯ୍ୟ କରାଯାଇଛି। ଉଚ୍ଚ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ କରାଇବା ପାଇଁ ଓ ଉଚ୍ଚ ଶିକ୍ଷାକୁ ସରଳ କରିବା ପାଇଁ ଏହା ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ। ଏହା ସହ କିଛି ଦିନ ପୂର୍ବେ ଏମବିଏ ପାଠ୍ୟକ୍ରମ ପାଇଁ ଓଡ଼ିଆରେ ଅନବାଦକୁ ଲୋକାର୍ପଣ କରାଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ। ଏହା ସହିତ ବିଶ୍ୱରେ ଯେତେ ପାଠ୍ୟକ୍ରମ ରହିଛି ସମସ୍ତ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବଡ କରାଯାଉ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।” ଏହା ସହିତ ପୂର୍ବରୁ ମଧ୍ୟ ଓଡ଼ିଆରେ ପଢ଼ା ଯାଉଛି ମେଡିକାଲ ପାଠ। ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ବହିକୁ ଓଡ଼ିଆରେ ଅନୁବାଦ କରାଯାଇ ପାଠ ପଢ଼ା ଯିବାର ଯୋଜନା କରାଯାଇଛି। କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ମଧ୍ୟ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ IGNOUର କୁଳପତି ଉମ୍ମା କାଂଜିଲାଲ କହିଛନ୍ତି ଯେ, “ସମସ୍ତ କୋର୍ସ ଓଡ଼ିଆରେ ଅନୁବାଦ କରାଯିବ। କିନ୍ତୁ ବିଶେଷ ଭାବେ ଯେଉଁ କୋର୍ସ ସବୁ ଅଧିକ ଚାହିଦା ରହିଥିବ, ଯେଉଁ କୋର୍ସକୁ ପିଲାମାନେ ପାଠ ପଢିବାକୁ ଅଧିକ ମାତ୍ରରେ ଆଗ୍ରହ ପ୍ରକାଶ କରୁଥିବେ, ସେନେଇ ପ୍ରଥମେ ସେହି କୋର୍ସକୁ ଅଧିକ ମାତ୍ରାରେ ଓଡ଼ିଆରେ ଅନୁବାଦ କରାଯିବ। କେବଳ ଓଡ଼ିଆରେ କୋର୍ସ ଆସିବନାହିଁ, ପିଲାମାନେ ମଧ୍ୟ ଓଡ଼ିଆରେ ପରୀକ୍ଷା ଦେବେ। ଶିକ୍ଷକମାନଙ୍କୁ ଓଡ଼ିଆରେ ପାଠ ପଢ଼ାଇବା ପାଇଁ ଟ୍ରେନିଂ ମଧ୍ୟ ଦିଆଯିବ।