ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟର ମନମୁଖୀ କାରବାରକୁ ବିରୋଧ କରି ଆଇନଜୀବୀ ଓ ଜନସାଧାରଣଙ୍କ ଆନ୍ଦୋଳନ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ଆଇନଜୀବୀ ଓ ସାଧାରଣ ଲୋକେ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାଳୟ ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ଆନ୍ଦୋଳନ କରିଥିବାର ଦେଖିବାକୁ ମିଳିଛି । ଆଇନଜୀବୀ ଓ ସାଧାରଣଙ୍କ କହିବା ହେଲା ଯେ, ଏହି ନିବନ୍ଧକ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ବ୍ୟାପକ ଅନିୟମିତତା ମଧ୍ୟରେ ଚାଲିଛି । ରେଜିଷ୍ଟ୍ରେସନ ବେଳେ ସରକାରୀ ନିୟମକୁ ଖିଲାପ କରି ମନଇଛା ରେଜିଷ୍ଟ୍ରେସନ୍ ଫି ଆଦାୟ କରାଯାଉଛି । ବେଞ୍ଚମାର୍କ ଅନୁଯାୟୀ କୌଣସି କାମ ହେଉନାହିଁ । ପ୍ଲଟ ବା ଜମି ରେଜିଷ୍ଟ୍ରେସନ ବେଳେ ଯେଉଁ ଠାରେ ଦଶ ପ୍ରତିଶତ ନେବା କଥା ଏହି କାର୍ଯ୍ୟାଳୟରେ ପଚାଶ ପ୍ରତିଶତ ଫି ଆଦାୟ କରାଯାଉଛି । ପ୍ଲଟ ବା ଜମିର ମୂଳ ଆକଳନ ନକରି ବା ସେହି ଅଞ୍ଚଳର ଦର ସଠିକ୍ ଭାବେ ନଜାଣି ମନଇଛା ଫି ଆଦାୟ କରାଯାଉଛି ।

ଯାହା ଫଳରେ ପ୍ଲଟ ବା ଜମି ଦର ବୃଦ୍ଧି ହେବା ସହ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଗରୀବ ଜନସାଧାରଣଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି ହେଉଥିବାର କହିଛନ୍ତି । ଏହା ସହ ଏହି କାର୍ଯ୍ୟାଳୟରେ ହାତଗୁଞ୍ଜା କାରବାର ମଧ୍ୟ ବେସ୍ ଚାଲିଥିବାର ପ୍ରକାଶ କରିଛନ୍ତି । ଏପରି ଖୋଲାଖୋଲି ଭାବେ ଅନିୟମିତତା ଚାଲୁରହିଥିବାକୁ ନେଇ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ଆଜି ବାଧ୍ୟ ହୋଇ ଆନ୍ଦୋଳନ କରିଥିବାର ପ୍ରକାଶ କରିଛନ୍ତି । ପ୍ରାୟ ଦୁଇ ଘଣ୍ଟା ପରେ ଜିଲ୍ଲା ନିବନ୍ଧକ ଈଶ୍ବର ଚନ୍ଦ୍ର ସାହୁ ପହଞ୍ଚି ଆନ୍ଦୋଳନକାରୀଙ୍କ ସମସ୍ତ ଦାବିକୁ ପୁରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ ଆଇନଜୀବୀ ଓ ଜନସାଧାରଣ ।

ତେବେ ଆନ୍ଦୋଳନକାରୀ ମାନେ ଏପରି ଆନ୍ଦୋଳନ କରୁଥିବାର ଦେଖି ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟର ଅଧିକାରୀ କିମ୍ବା କର୍ମଚାରୀମାନେ ଫାଟକ ଖୋଲି ନଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ଦୁଇ ଘଣ୍ଟା ପରେ ଅର୍ଥାତ ମଧ୍ୟାହ୍ନ ପ୍ରାୟ 12ଘଣ୍ଟା ସମୟରେ ମୁଖ୍ୟ ଫାଟକର ତାଲା ଖୋଲାଯାଇଥିଲା । ଏପରି କାର୍ଯ୍ୟାଳୟ ବନ୍ଦ ଥିବାର ଦେଖି ନିଜ ନିଜ କାର୍ଯ୍ୟରେ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟକୁ ଆସିଥିବା ଜନସାଧାରଣ ଫେରିଯାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here