ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକରେ ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖ ବିଳମ୍ବିତ ରାତ୍ରରେ ଘଟିଥିବା ଚାରି ଭାଇକୁ ନିର୍ମମ ହତ୍ୟା ଘଟଣାର ସୋମବାର ଚୂଡାନ୍ତ ରାୟ ପ୍ରକାଶ ପାଇଛି l ଆସିକା ଅତିରକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ୨୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ବିଚାର କରି ୫ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି l ଅଭିଯୁକ୍ତ ମାନେ ହେଲେ ଚିତ୍ରସେନ ସେଠି, ସନ୍ତୋଷ ସ୍ୱାଇଁ, ବାହାନପତି ବେହେରା, ମିଲନ ସ୍ୱାଇଁ ଏବଂ ମୁଖ୍ୟ ଅଭିଯୁକ୍ତ ଅମୀୟ କୁମାର ସ୍ୱାଇଁ ଓରଫ ସାଧୁ । ପ୍ରକାଶ ଥାଉକି ଗତ ୨୦୨୨ ମସିହା ମାର୍ଚ୍ଚ ୨୨ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ତଥା ୫୯ ନଂ ଜାତୀୟ ରାଜପଥ ଉପରେ ଫାଷ୍ଟଫୁଡ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିବା ରାଜା ସ୍ବାଇଁଙ୍କ ସମେତ ଘଟଣାର ମୁଖ୍ୟ ଅଭିଯୁକ୍ତ ସାଧୁଙ୍କ ସହ କୈାଣସି କାରଣରୁ କଳିଗୋଳ ଆରମ୍ଭ ହୋଇଥିଲା । ଘଟଣାର କିଛି ସମୟପରେ ସାଧୁଙ୍କ ସହ କିଛି ସହଯୋଗୀ ରାଜାଙ୍କ ଫାଷ୍ଟଫୁଡ ଦୋକାନ ଭିତରେ ପଶି ମଙ୍ଗଳବାର ଅର୍ତକିତ ଆକ୍ରମଣ କରିଥିଲେ। ଦୁବୃର୍ତ୍ତଙ୍କ ଖଣ୍ଡା, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ଭାଇ ଓ ସର୍ମ୍ପକୀୟ ଜଣେ ଭାଇଙ୍କୁ ଅତି ବିଭତ୍ସ ହତ୍ୟା କରିଥିଲେ । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ପ୍ରତିପକ୍ଷ ଗୋଷ୍ଠୀର ଜଣେ ଆକ୍ରମଣକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ ।
ମୃତକ ମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୮), ଶମ୍ଭୁ ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ (୨୩) ଓ ଅନ୍ୟ ଜଣଙ୍କ ମଙ୍ଗୁଳୁଙ୍କ ନାବାଳକ ପୁତୁରା ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ୱାଇଁ (୧୬) । ଗୁରୁତର ଆହତ ହେଲେ ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣକାରୀ ଅମିୟ ସ୍ୱାଇର୍ ଓରଫ୍ ସାଧୁ (୩୫) । ମୃତକଙ୍କ ବାପା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୧୪୧/୨୨ରେ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଦୋଷୀଙ୍କୁ ଫାଶିଦଣ୍ଡ ଓ ସଂପୃକ୍ତ ଗ୍ରାମ ନିକଟରେ ଥିବା ୨ ମଦ ଦୋକାନ ଉଚ୍ଛେଦ ଦାବି କରି ଅଡି ବସିବା ସହ ୨୩ତାରିଖ ସକାଳ ୭ଟାରୁ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ l
ପିତଳ ଛକରେ ଅବସ୍ଥାପିତ ୨ଟି ମଦ ଦୋକାନ ଉଛେଦ, ପୋଲିସ ଫାଣ୍ଡି ସ୍ଥାପନ ଓ ଦୋଷୀଙ୍କୁ ଫାଶିଦଣ୍ଡ ଦେବାକୁ ଦାବି କରି ପ୍ରାୟ ୧୫ ଘଣ୍ଟା ଧରି ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ, ଭଞ୍ଜନଗର ଉପଜିଲ୍ଲାପାଳ, ଆସିକା ଏସଡିପିଓ ଓ ୮ଟି ଥାନା ଆଇଆଇସିଙ୍କ ସମେତ ୬ ପ୍ଳାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକ ହଟିନଥିଲା । ପରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପିତଳ ଛକରେ ପୁଲିସ ଫାଣ୍ଡି ପ୍ରତିଷ୍ଠା ସହ ମଦ ଦୋକାନ ଉଛେଦ ଓ ଦୋଷୀଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାତି ପ୍ରାୟ ୧୦ଟାରେ ରାସ୍ତାରୋକ ହଟିଥିଲା । ସଂପୃକ୍ତ ମାମଲାକୁ ସରକାର ଓକିଲ ତ୍ରିଲୋଚନ ପରିଡା ଏବଂ ପ୍ରତିପକ୍ଷ ଓକିଲ ସରତେନ୍ଦୁ ପଣ୍ଡା ମାମଲା ପରିଚାଳନା କରୁଥିଲେ ।