ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ଦ୍ବିତୀୟ ଲାଇନରେ ଆଜି ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ଟାଉନ ଥାନା ପୋଲିସ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲେ । ମୃତକ ଜଣକ ହେଲେ ବିଜିପୁର ଅମ୍ବିକା ନଗରର ଦ୍ୱିତୀୟ ଲାଇନ୍ ର ରଙ୍କ ସେଠୀ । ରଙ୍କ ପ୍ରତିଦିନ ଭଳି ଆଜି ମଧ୍ୟ ଭୋରରୁ ନିଜ ଘରୁ ବାହାରି ପ୍ରାତଃ ଭ୍ରମଣରେ ଯାଇଥିଲେ । କିନ୍ତୁ ହଠାତ ଏଭଳି ତାଙ୍କର ମୃତ୍ୟୁ ଶୁଣି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ରଙ୍କଙ୍କ କାହାରି ସାଥିରେ ଶତୃତା ନଥିଲା । ତାଙ୍କୁ କିଏ ଓ କାହିଁକି ଏଭଳି ହତ୍ୟା କରିଛି ତାହା ସ୍ପଷ୍ଟ ନଥିବା ବେଳେ ପୋଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ । ସେପଟେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମଧ୍ୟ ପହଞ୍ଚିଛି । ମୃତ ରଙ୍କଙ୍କ ବେକକୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ମାନେ କାଟି ଦେଇଥିବା ବେଳେ ତାଙ୍କୁ ହତ୍ୟା କରିଯାଇଥିବା ପୋଲିସ ସନ୍ଧେହ କରୁଛି ।