ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପରିବାର

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସ୍ୱର୍ଗତ କ୍ୟାବିନେଟ ମନ୍ତ୍ରୀ ନବକିଶୋର ଦାସଙ୍କ ପତ୍ନୀ ମୀନତି ଦାସ ଆଜି(ବୁଧବାର) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି । ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ମିନତୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ତାଙ୍କ କନ୍ୟା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁତ୍ର ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ । ପରିବାର ତରଫରୁ ସିବିଆଇ ତଦନ୍ତ ପାଇଁ ଚିଠି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ‘ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ ତଦନ୍ତ କରାଯିବ । ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ।’ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଏହି ମର୍ମରେ ଭରସା ଦେଇଛନ୍ତି । ଯେଉଁଭଳି ଭାବେ ଏହି ଘଟଣା ଘଟିଲା ତାହା ଅତ୍ୟନ୍ତ ଦୁଃଖଦ । ନିନ୍ଦନୀୟ ମଧ୍ୟ । ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣି ଥରେ ତନ୍ନତନ୍ନ କରି ପରୀକ୍ଷା କରିବେ । ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ । ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ନବ ଦାସଙ୍କ ପରିବାରକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପରିବାର ପକ୍ଷରୁ ଯେକୌଣସି ସମୟରେ ମୋତେ ବ୍ୟକ୍ତିଗତ ଭାବେ ଏ ସମ୍ପର୍କରେ ଅବଗତ କରାଇପାରିବେ । ସେ ନିଜେ ଓ ତାଙ୍କ ସରକାର ନ୍ୟାୟ ସପକ୍ଷରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସ୍ୱର୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ପତ୍ନୀ ମିନତୀ ଦାସ କହିଛନ୍ତି, ‘ବ୍ୟକ୍ତିଗତ ଭାବେ ଭେଟି ଏହି ଆଲୋଚନା କରିଥିବାରୁ ଏବଂ ନ୍ୟାୟ ମିଳିବାର ଭରସା ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ।’ପୂର୍ବତନ ବିଧାୟିକା ତଥା ନବଙ୍କ ଝିଅ ଦୀପାଳି ଦାସ କହିଛନ୍ତି, ‘ଆମେ ଆଜି ସ-ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲୁ । ପରିବାର ତରଫରୁ ଆମେ ସିବିଆଇ ତଦନ୍ତ ପାଇଁ ଚିଠି ଦେଇଛୁ । ଆମର ବିଶ୍ୱାସ ଓ ଭରସା ଅଛି ମୁଖ୍ୟମନ୍ତ୍ରୀ ନିରପେକ୍ଷ ଭାବେ ଏହି ତଦନ୍ତକୁ ଆଗକୁ ବଢ଼େଇବେ । ବାପାଙ୍କ ହତ୍ୟାକାଣ୍ଡକୁ ନିରପେକ୍ଷ ଭାବେ ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସିବିଆଇ ତଦନ୍ତ ପାଇଁ ବିଚାର କରି ଜଣେଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏହି ହାଇପ୍ରୋଫାଇଲ ହତ୍ୟା ଘଟଣାକୁ ନେଇ ବିଧାନସଭାରେ ଅନେକ ଥର ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଏହି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ଉଠିଥିଲା । ତେବେ ନବ ଦାସଙ୍କ ଝିଅ ଦୀପାଳି ସିବିଆଇ ତଦନ୍ତ ପାଇଁ ଚିଠି ଲେଖିଥିବା ବେଳେ ଏବେ ନବ ଦାସଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚିଠି ଲେଖିଥିଲେ ନବ ଦାସଙ୍କ ପତ୍ନୀ ମିନତୀ ଦାସ ।

LEAVE A REPLY

Please enter your comment!
Please enter your name here