ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦିନକ ପରେ ଗଣତନ୍ତ୍ର ଦିବସ । ରାଜ ରାସ୍ତାରେ, ଭାରତର ପ୍ରତିଟି କୋଣଅନୁକୋଣରେ ଗର୍ବର ସହ ଉଡିବ ତ୍ରିରଙ୍ଗା । ଆଉ ଏହି ୭୬ତମ ସାଧାରଣତନ୍ତ୍ର ଦିବସ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ପରେଡ ମାଧ୍ୟମରେ ପୁଣି ସାରା ଦେଶକୁ ନିଜର କୌଶଳ ଦେଖାଇବେ ଭାରତୀୟ ସେନା । ତେବେ ଏଥର ପରେଡରେ ଭାରତର ପ୍ରତିରକ୍ଷାର ଶକ୍ତି, ବିବିଧତା ଏବଂ ସ୍ଥିରତା ପ୍ରତିଫଳିତ ହେବ । ଯେଉଁଥିରେ ଭାରତୀୟ ସଂସ୍କୃତି, ସେନା, ସୁରକ୍ଷା ଏବଂ ସଶକ୍ତିକରଣର ପରିଚୟ ପ୍ରଦାନ କରିବ ସେନା ଗାଡି ‘ନନ୍ଦିଘୋଷ’ ।
ଚଳିତ ବର୍ଷର ଗଣତନ୍ତ୍ର ଦିବସ ପରେଡ୍ରେ ସେନାର ଛଅଟି ମାର୍ଚ୍ଚିଂ କଣ୍ଟନଜେଣ୍ଟ ସାମିଲ ହେବ । ଯେଉଁଥିରେ ବ୍ରିଗେଡ୍ ଅଫ୍ ଦି ଗାର୍ଡସ୍, ମାହାର ରେଜିମେଣ୍ଟ୍, ଜାଟ୍ ରେଜିମେଣ୍ଟ୍, ଗରୱାଲ୍ ରାଇଫଲ୍ସ୍, ଜମ୍ମୁ ଏବଂ କାଶ୍ମୀର ରାଇଫଲ୍ସ୍ ଏବଂ କୋର୍ପ୍ସ ଅଫ୍ ସିଗନାଲ୍ସ୍ ଅନ୍ତର୍ଭୁକ୍ତ ରହିଛି । ଏହାବ୍ୟତୀତ, ବିଭିନ୍ନ ପ୍ରକାରର ଉପକରଣ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ, ଯାହା ସଶସ୍ତ୍ର ବାହିନୀର ପ୍ରଯୁକ୍ତିବିଦ୍ୟାର ଦକ୍ଷତାକୁ ପ୍ରଦର୍ଶିତ କରିବ । ଏଥିରେ ଟି-୯୨ ଭୀଷ୍ମ, ଆଇସିଭି ବିଏମପି-୨ (ସାରଥି) ଏବଂ ନମିସ୍ (ନାଗ୍ କ୍ଷେପଣାସ୍ତ୍ର ପ୍ରଣାଳୀ) ପ୍ରମୁଖ ସାମିଲ ରହିବ ।