କରଞ୍ଜିଆ ଡାକ୍ତରଖାନା ଠାରେ ଜାତୀୟ ଡାକ୍ତର ଦିବସ ପାଳିତ
କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ଭାରତରେ ୧୯୯୧ ମସିହାରୁ ସୁନାମଧନ୍ୟ ଡାକ୍ତର ତଥା ପଶ୍ଚିମ ବଙ୍ଗର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଡଃ ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମଜୟନ୍ତୀକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇ ଆସୁଛି।ପ୍ରତ୍ୟେକ ବର୍ଷ ପରି ଆଜି ମଧ୍ୟ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପୂର୍ବତନ ପୈରାଧକ୍ଷ ଭୁବନ ବିହାରୀ ସାହୁଙ୍କ ସଭାପତିତ୍ବରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ, ସମ୍ମାନିତ ଅତିଥି ଭାବେ ଦିଲ୍ଲୀପ କୁମାର ସାହୁ, କରଞ୍ଜିଆ ଓକିଲ ସଂଘ ସଭାପତି ତଥା ପୂର୍ବତନ ପୈରାଧକ୍ଷ ବାଞ୍ଛାନିଧି ପୃଷ୍ଟି, ବରିଷ୍ଠ ସାମ୍ବାଦିକ କର୍ଣ୍ଣାର୍ଜୁନ ସାହା ଓ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଅନିତା ସିଂ ଉପସ୍ଥିତ ରହି ଏହି ଦିବସର ତାତ୍ପର୍ଯ୍ୟ ଓ ଇତିହାସ ବିଷୟରେ ସୂଚନା ଦେଇଥିଲେ।
ଡାକ୍ତର ଏପରି ଏକ ଶବ୍ଦ ଯାହାର କୌଣସି ପରିଧି ନାହିଁ। ସେମାନଙ୍କ କଠିନ ପରିଶ୍ରମ, ଅଧ୍ୟବସାୟ, ଦୃଢ଼ ନିଷ୍ଠା ଓ ତ୍ୟାଗ ବଳରେ ଆଜି ପୃଥିବୀ ପୃଷ୍ଠରେ ଜୀବନ ବଞ୍ଚିରହିଛି। ସେମାନେ କଠିନ ପରିଶ୍ରମ କରିଥାନ୍ତି ଆମ୍ଭମାନଙ୍କୁ ସୁସ୍ଥ ରଖିବା ପାଇଁ। ସେମାନଙ୍କ ଅକଣ୍ଠ ଉଦ୍ୟମ ବଳରେ ମଣିଷ ସମାଜ ଆଜି ବଞ୍ଚିରହିଛି। ସେମାନେ ସ୍ବାସ୍ଥ୍ୟ ବିଭାଗର ମେରୁଦଣ୍ଡ ସଦୃଶ।ସେମାନେ ସମସ୍ତେ ସ୍ୱାସ୍ଥ୍ୟ ସୁରକ୍ଷା ହିରୋ ଏବଂ ଧନ୍ୟବାଦର ପାତ୍ର ବୋଲି ଉପସ୍ଥିତ ଅତିଥିମାନେ ଆଖ୍ୟା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଡ଼ାକ୍ତର ଉପସ୍ଥିତ ଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଉପସ୍ଥିତ ସମସ୍ତ ଡ଼ାକ୍ତର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।