ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବହୁଚର୍ଚ୍ଚିତ ‘ଜାତୀୟ ଶିକ୍ଷା ନୀତି’ (NEP)-୨୦୨୦ । ଆଜି ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ଜାରି ବିଜ୍ଞପ୍ତିରେ ଦର୍ଶାଇଛି । ‘ଜାତୀୟ ଶିକ୍ଷା ନୀତି-୨୦୨୦’ କାର୍ଯ୍ୟକାରିତା ପାଇଁ ଟାସ୍କଫୋର୍ସର ପୁନର୍ଗଠନ କରିଛନ୍ତି ସରକାର । ଏଥିରେ ୧୩ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି । ଏହି ଟାକ୍ସଫୋର୍ସ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ ବା ଢାଞ୍ଚା ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବ । ସେହି ଆଧାରରେ ରାଜ୍ୟ ସରକାର ଏହି ବହୁଚର୍ଚ୍ଚିତ ଶିକ୍ଷା ସଂସ୍କାର ଅଧିନିୟମକୁ କାର୍ଯ୍ୟକାରୀ କରିବେ । ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ବା ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟଗୁଡିକରେ ଏହି ନୂତନ ଶିକ୍ଷାନୀତି ଲାଗୁ କରାଯିବ । ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ 4 ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଏବଂ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ। UGC ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍ୱାର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମୱାର୍କ୍ ପ୍ରସ୍ତୁତ ହୋଇଛି । ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ Extra Curricular Activities, NCC,NSS ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ । ଫଳରେ ଛାତ୍ରଛାତ୍ରୀମାନେ ନିଜ ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ସମ୍ପୂର୍ଣ୍ଣ କରିପାରିବେ ।
ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷା ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ ରଖାଯାଇଛି । ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ । ଏଥିପାଇଁ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ ସିଲାବସ ରହିବ । ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି Multi Disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।