NATIONAL POLLUTION CONTROL DAY

0

( ବିପ୍ଲବୀ ପରିକ୍ରମା ବ୍ୟୁରୋ ):- ଆଜି ଡିସେମ୍ବର ୨ । ପାଳନ କରାଯାଉଛି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ । ଧୀରେ ଧୀରେ ପ୍ରଦୂଷଣର ମାତ୍ରା ଘାତକ ହେଉଥିବାବେଳେ ବାୟୁ ପ୍ରଦୂଷଣ ଯୋଗୁଁ ଯାଉଛି ଲକ୍ଷାଧିକ ଲୋକଙ୍କ ଜୀବନ। ପ୍ରଦୂଷଣରେ ବର୍ଷକୁ ପାଖାପାଖି ୨୧ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଥିବା ବେଳେ, ପ୍ରଦୂଷଣ ମୁକ୍ତ ପରିବେଶ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ସମଗ୍ର ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ବାୟୁ ପ୍ରଦୂଷଣ। ପ୍ରଦୂଷଣର ପ୍ରଭାବ ଏବେ ସମଗ୍ର ବିଶ୍ୱ ଉପରେ ଅନୁଭୂତ ହେଉଛି। ବର୍ତମାନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ବାୟୁ ପ୍ରଦୂଷଣ। ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଆଦି ମାନବର ସାମୁହିକ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇଛି। ସାରା ବିଶ୍ୱରେ ପ୍ରଦୂଷଣ ଜନିତ ମୃତ୍ୟୁରେ ଚୀନ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ, ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାର ପ୍ରଭାବ କେବଳ ମାନବ ଜାତି ଉପରେ ପଡ଼ୁଛି ତାହା ନୁହେଁ, ପରିବେଶଠୁ ଜୀବଜନ୍ତୁ ସମସ୍ତେ ପ୍ରଦୂଷଣର ଶିକାର ହେଉଛନ୍ତି। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ୱର ୨ ତାରିଖକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ କରାଯାଉଛି। ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି-ପ୍ରଦୂଷଣରୁ ମୁକ୍ତି ପାଇବା, ଏବଂ ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା। ଯାହାଦ୍ୱାରା ପ୍ରକୃତିକୁ ଏଥିରୁ ରକ୍ଷା କରାଯାଇପାରିବ। ପ୍ରଦୂଷଣର ସ୍ତର ଏପରି ବୃଦ୍ଧି ପାଇଛି ଯେ, ସମଗ୍ର ବିଶ୍ୱରେ ୧୦ ଜଣଙ୍କ ମଧ୍ୟରୁ ୯ ଜଣ ସୁରକ୍ଷିତ ବାୟୁ ପାଇପାରୁନାହାନ୍ତି। ତେଣୁ ବର୍ତ୍ତମାନ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସ୍ୱତନ୍ତ୍ର ଏକ ଦିବସ ପାଳନ କରାଯାଇ ଲୋକଙ୍କ ବାୟୁ, ମାଟି, ଶବ୍ଦ ପ୍ରଦୂଷଣକୁ କିପରି ରୋକାଯାଇପାରିବ ସେ ଦିଗରେ ସଚେତନ କରାଯାଉଛି। ଏହାସହ ଭୋପାଳରେ ଘଟିଥିବା ଗ୍ୟାସ୍ ଟ୍ରାଜେଡ଼ି ଯେପରି ପୁନର୍ବାର କେବେ ନ ଘଟେ ସେଥିପ୍ରତି ସତର୍କ ରହିବାକୁ ବାର୍ତ୍ତା ଦିଆଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଅନୁଯାୟୀ, ପ୍ରଦୂଷଣ କାରଣରୁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି। ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟକୁ କିପରି ଭୟଙ୍କର ଭାବେ ପ୍ରଭାବିତ କରୁଛି, ତାହା ଏଥିରୁ ଅନୁମାନ କରାଯାଉଛି। ତେଣୁ ସଚେତନ ରହିବା ଫଳରେ ଅନେକାଂଶରେ ପ୍ରଦୂଷଣକୁ ରୋକାଯାଇପାରିବ।

LEAVE A REPLY

Please enter your comment!
Please enter your name here