ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେ ଯେ, ଗଜପତି ଜିଲ୍ଲାର ସାମ୍ବାଦିକ ଗଣ ଜିଲ୍ଲାର ଅପହଞ୍ଚ ଅଞ୍ଚଳର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିଭିନ୍ନ ଖବର ସଂଗ୍ରହ କରି ପ୍ରସାର ପ୍ରଚାର କରି ସମସ୍ତ କ୍ଷେତ୍ରରେ ଆଗକୁ ନେବାରେ ସଫଳ କରୁଛନ୍ତି।ଯେଉଁଭଳି ଭାବରେ ଖରା, ବର୍ଷା ଓ ଶୀତକୁ ଖାତିର୍ ନକରି କର୍ତ୍ତବ୍ୟ ନିଷ୍ଠା ସହିତ ଜନସାଧାରଣଙ୍କ ନିକଟକୁ ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ମଧ୍ଯ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରଶଂସା କରିଥିଲେ । ଏହି ଉପଲକ୍ଷେ “ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଯୋଗଦେଇ କହିଥିଲେ,ସମାଜ ବିକାଶରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ,ତୃଣମୂଳ ସ୍ତରରୁ ଲୋକଙ୍କ ବିଭିନ୍ନ ସମସ୍ୟାର ତଥ୍ୟ ଆଣିବାରେ ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଅଛି ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ତେବେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁନୀଲ ମହାନ୍ତି,ଶ୍ରୀ ଗରୁଡ଼ଧ୍ଵଜ ଚୌଧୁରୀ, ଶ୍ରୀ ବସନ୍ତ ପଣ୍ଡା ବରିଷ୍ଠ ସାମ୍ୱାଦିକ ଯୋଗ ଦେଇଥିବା ବେଳେ ଶ୍ରୀ ଡିଜେନ୍ଦ୍ର ନାଥ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ସଭା ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରଦୀପ ନାୟକ ,ସାମ୍ବାଦିକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ଅଭିଭାଷଣ ରଖିଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନା କରିଥିବା ବେଳେ ବିଭାଗର ବରିଷ୍ଠ କର୍ମଚାରୀ ନରସିଂହ ବଜବାନ୍ଧୁ ଓ ପ୍ରଦୀପ କୁମାର ରଥ ସହଯୋଗ କରିଥିଲେ।