ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ )ବିଶ୍ବ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ଶହରୁ ଊର୍ଦ୍ଧ୍ବ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ। ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।ରାଷ୍ଟ୍ରପତି ତଥା ୩ ସେନାର କମାଣ୍ଡର୍-ଇନ୍-ଚିଫ୍ ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର୍ ପରେ, କମ୍ପି ଉଠିଥିଲା ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ । ସମୁଦ୍ରର ଘୋ ଘୋ ଶବ୍ଦକୁ ଚିରି ଆକାଶରୁ ଶୁଭିଥିଲା ବିମାନର ଗୁରୁଗର୍ଜନ । ଚିତାକର୍ଷକ ଫ୍ଲାଏପାଷ୍ଟ୍ ସହ ବମ୍ ବର୍ଷ୍ଟ ମାନୁଏଭର ଦେଖାଇଥିଲେ ୫ଟି ହକ୍ ବିମାନ। ଏହାପରେ ୩ଟି ଚେତକ ହେଲିକପ୍ଟର ବ୍ୟାନର ଫର୍ମେସନରେ ସଗର୍ବେ ଉଡ଼ାଇଥିଲେ ଜାତୀୟ ପତାକା ଓ ଭାରତୀୟ ନୌସେନାର ଧ୍ବଜା। ନୌସେନାର ଶକ୍ତି ପ୍ରଦର୍ଶନ ଯେତେ ଆଗଉଥିଲା, ସେତିକି ଉତ୍ତଙ୍ଗ ହେଉଥିଲା ସମୁଦ୍ରର ସୁଉଚ୍ଚ ଜୁଆର। ସର୍ବସମ୍ମୁଖକୁ ଆସି ସାମରିକ ଦକ୍ଷତା ଦେଖାଇଥିଲା ସମୁଦ୍ରର ଅଥଳ ଗର୍ଭରେ ଲୁଚି ରହୁଥିବା ବୁଡ଼ା ଜାହାଜ INS ଶଲ୍-କୀ। ଆଉ ଓଡ଼ିଶା ପାଇଁ ଗର୍ବର କଥା, ଏହାର ନେତୃତ୍ବ ନେଇଥିଲେ ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକ। ଆଉ ଏହା ପରେ ଦେଖିବାକୁ ମିଳିଥିଲା ଦୁର୍ଦ୍ଧର୍ଷ ମରିନ୍ କମାଣ୍ଡୋ- ମାର୍କସ୍ଙ୍କ ଜଲୱା। ଲୋକଲୋଚନରୁ ସର୍ବଦା ଦୂରେଇ ରହୁଥିବା ଭାରତର ଏହି ଏଲିଟ୍ ସ୍ପେଶାଲ ଫୋର୍ସର ବୀର ଯୋଦ୍ଧାମାନେ ଦେଖାଇଥିଲେ ରଣକୌଶଳ।