ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜି ମୁମ୍ବାଇରେ ବିରୋଧୀ ସୁପ୍ରିମୋ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ହେବ । ମୁମ୍ବାଇ କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ନବୀନଙ୍କ ଚିକିତ୍ସା ହେବ । ସର୍ଭାଇକଲ ଆର୍ଥ୍ରାଇଟିସ ପାଇଁ ଅସ୍ତ୍ରୋପଚାର ହେବ । ସର୍ଭାଇକାଲ ଆର୍ଥ୍ରାଇଟିସ ସାଧାରଣତଃ ଏକପ୍ରକାର ଅଷ୍ଟିଓଆର୍ଥ୍ରାଇଟିସ । ଏହାଦ୍ବାରା ବେକର ମେରୁଦଣ୍ଡର ହାଡ଼ ଓ ଜଏଣ୍ଟ ଗୁଡିକ ପ୍ରଭାବିତ ହୋଇଥାଏ । ବେକର ଜଏଣ୍ଟରେ ଥିବା କାର୍ଟିଲେଜ ଧୀରେ ଧୀରେ କ୍ଷୟ ହୋଇଯାଏ । ଏହାପରେ ବେକରେ ଯନ୍ତ୍ରଣା ଓ ସମସ୍ୟା ସୃଷ୍ଟି ହୋଇଥାଏ । ଆଘାତ, ଅତ୍ୟଧିକ ଚାପ ବା ଜେନେଟିକ କାରଣରୁ ହୋଇଥାଏ ସର୍ଭାଇକାଲ ଆର୍ଥ୍ରାଇଟିସ ।
ଏହି ଯନ୍ତ୍ରଣାରୁ ଉପଶମ ପାଇଁ ସର୍ଜରୀର ଆବଶ୍ୟକତା ହୋଇଥାଏ । ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହେବାକୁ ୩ରୁ ୬ ସପ୍ତାହ ସମୟ ଲାଗିଥାଏ । ସର୍ଜରୀ ପାଇଁ ଗତ ୨୦ ତାରିଖରେ ମୁମ୍ବା ଗସ୍ତ କରିଥିଲେ ବିଜେଡି ସୁପ୍ରିମୋ । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି । ଦୀପ ପ୍ରଜ୍ବଳନ ସହ ସାମୂହିକ ପ୍ରାର୍ଥନା କରାଯାଉଛି । ଦିଲ୍ଲୀରେ ମଧ୍ୟ ପୂଜାର୍ଚ୍ଚନା ହୋଇଛି । ନୂଆଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରରେ ବି ପୂଜା କରିଛନ୍ତି ବିଜେଡି ସାଂସଦ ଓ ନେତା । ତାଙ୍କ ସୁସ୍ଥ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।