ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ ଆଦମୀ ପାର୍ଟୀର ନେତ୍ରୀ ଅତିଶୀ। ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ସରକାର ଗଢ଼ିବା ପ୍ରସ୍ତାବକୁ ସ୍ବୀକାର କରିନେଇଛନ୍ତି । ଏଥିସହ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପତ୍ରକୁ ମଧ୍ୟ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ତେବେ ଆଜି ଆତିଶୀଙ୍କ ସମେତ କେଜ୍ରିଓ୍ବାଲଙ୍କ ସରକାରରେ ମନ୍ତ୍ରୀ ଥିବା ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ୱାଜ ଏବଂ ଇମ୍ରାନ୍ ହୁସେନ୍ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଆପ୍ ସରକାରର ଏହି ନୂଆ କ୍ୟାବିନେଟରେ ଦଳର ୨ ନୂଆ ବିଧାୟକ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଗତ ୧୭ ତାରିଖରେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ନୂଆ ସରକାର ଗଠନ ପାଇଁ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀ ଦ୍ୱାରା ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ଏହାକୁ ରାଷ୍ଟ୍ରପତି ମଞ୍ଜୁରୀ ପ୍ରଦାନ କରିଥିଲେ।ଅରବିନ୍ଦ କେଜ୍ରିଓ୍ୱାଲ ଜାମିନରେ ବାହାରକୁ ଆସିବା ପରେ ଚଳିତ ସପ୍ତାହର ଆରମ୍ଭରେ ଆପ୍ ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ସର୍ବସମ୍ମତି କ୍ରମେ ଆତିଶୀଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିଲା।