ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜଧାନୀ ଦିଲ୍ଲୀରେ ଅସମ୍ଭାଳ ହୋଇଛି ପ୍ରଦୂଷଣ ସ୍ଥିତି । ବୁଧବାର ଏକ୍ୟୁଆଇ ୪୪୫ ଥିବା ବେଳେ ଆଜି ଏହା ୪୫୦ ପାର କରିଛି । ଧୂଳି, ଧୂଆଁର ବହଳ ଆସ୍ତରଣରେ ଆକ୍ତାମାକ୍ତା ହୋଇପଡ଼ିଛନ୍ତି ଦିଲ୍ଲୀବାସୀ । ଦୃଶ୍ୟମାନ ଦୂରତା କମ ରହୁଥିବାରୁ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ସ୍ଥିତି ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ସହର ଭିତରେ ବିଏସ୍-୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ କାର୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସହର ଭିତରେ ଏହି ଗାଡ଼ି ଚଳାଇଲେ ଦେବାକୁ ପଡ଼ିବ ୨୦ ହଜାର ଟଙ୍କା ଜୋରିମାନା । ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର । ସେପଟେ ପ୍ରତି ଛକରେ ଚେକ୍ ପୋଷ୍ଟ କରି ଗାଡ଼ି ଗୁଡ଼ିକର ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ କରୁଛି ପୋଲିସ । ପିୟୁସି ନଥିଲେ ୧୦ ହଜାର ଟଙ୍କାର ତଣ୍ଡ ଆଦାୟ କରାଯାଉଛି । ସେପଟେ ପ୍ରଦୂଷଣ ମୁକାବିଲାରେ ଦିଲ୍ଲୀ ସରକାର ଫେଲ୍ ମାରିଥିବା କହିଛନ୍ତି ସାଧାରଣ ଜନତା । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ହାଇବ୍ରିଡ୍ ମୋଡ୍ରେ ଚାଲୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ପରବର୍ତ୍ତି ଆଦେଶ ଆସିବା ଯାଏ ଏକାଦଶ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସ୍କୁଲରେ ହାଇବ୍ରିଡ୍ ମୋଡ୍ରେ ପାଠପଢ଼ା ହେବ ।