ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦେଶରେ ବର୍ତ୍ତମାନ ସୁଦ୍ଧା ୬ ଜଣ HMPV ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟ ପରେ ପଶ୍ଚିମବଙ୍ଗରେ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହେବା ପରେ ଓଡି଼ଶାରେ ଭୟ ବଢ଼ିଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହିତ ନେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, “ଏଚଏମ୍ପିଭିକୁ ନେଇ କୌଣସି ଭୟ ନାହିଁ । ଏହାର ଚିହ୍ନଟ ଓ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବାବେଳେ ସଚେତନ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । “ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି, ”ଭାରତରେ ଯେତିକିବି ଏହି ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି କୌଣସିଟି ନୂଆ ନୁହେଁ । ବିଭିନ୍ନ ସମୟରେ ଚିହ୍ନଟ ହୋଇଥିଲେ, ଏବେ ସମସ୍ତେ ସୂଚନା ପାଉଛନ୍ତି । କାହାର ବି ଟ୍ରାଭେଲ ହିଷ୍ଟ୍ରି ନାହିଁ, ପୂର୍ବରୁ ଭାରତରେ ଏହି ଭାଇରସ ଅଛି । ୨୦୦୧ ମସିହାରେ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ବାହାରୁ ଆସିକି କେହି ଏଚଏମ୍ପିଭି ସଂକ୍ରମିତ ହେବା ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ । ଯଦି ମହାମାରୀ ପରି ପରିସ୍ଥିତି ଉପୁଜେ ତେବେ ପ୍ରିକସନ ନେବୁ, ବର୍ତ୍ତମାନ ସେମିତି କିଛି ସ୍ଥିତି ନାହିଁ । ଯେଉଁଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡଲାଇନ୍ ଜାରି କରାଯାଇଛି । ଆମ ରାଜ୍ୟରେ କିଛି ଦେଖାଯାଇନାହିଁ ତେବେ ଆମର ମଧ୍ୟ ଗାଇଡଲାଇନ ଜାରି କରାଯାଇନାହିଁ । ଭାରତ ସରକାର ଯଦି ପ୍ରତି ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିବେ ତେବେ ଆମେ ମଧ୍ୟ ରାଜ୍ୟରେ କରିବୁ । ”
ଅନ୍ୟପଟେ କରୋନା ପରି ଏହି ଭୂତାଣୁର ଲକ୍ଷଣ ବୋଲି ସୂଚନା ମିଳିଛି । ଏଚ୍ଏମ୍ପିଭି ହେଲେ ସାଧାରଣତଃ କାଶ, ଜ୍ୱର ହେବା ସହ ନାକ ବନ୍ଦ ହୋଇ ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥାଏ । ଏମିତିକି ନିମୋନିଆ, ବ୍ରୋଙ୍କାଇଟିସ ହେବାର ସମ୍ଭାବନା ମଧ୍ୟ ରହିଛି । ବିଶେଷ କରି ଏହି ଭୂତାଣୁରେ ଛୋଟ ପିଲା ଅଧିକ ସଂକ୍ରମିତ ହୋଇଥାନ୍ତି । ଏପର୍ଯ୍ୟନ୍ତ ଏହାର କୌଣସି ଟିକା ତିଆରି ହୋଇନାହିଁ । ଶ୍ୱାସଜନିତ କୌଣସି ସଂକ୍ରମଣକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏଚଏମପିଭି ପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସା ନଥିବାରୁ କେବଳ ସତର୍କତା ହିଁ ଆମକୁ ସଂକ୍ରମଣରୁ ରୋକି ପାରିବ ବୋଲି ମନ୍ତ୍ରଣାଳୟ କହିଛି । ଯଦିଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧଭାବେ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇନାହିଁ ତଥାପି ଏହାକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।