ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ):- ଜୁନ ୧୨ ବା ଆସନ୍ତାକାଲି ରାଜ୍ୟର ବିଜେପି ସରକାରକୁ ଏକ ବର୍ଷ ପୂରିବ। ଏହା ପୂର୍ବରୁ ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତିଖୋର ଅଧିକାରୀ, କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ଆମେ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲୁ ଦୁର୍ନୀତିଖୋରଙ୍କୁ ଛାଡ଼ିବୁନି। ଯିଏ ଦୁର୍ନୀତି କରୁଛି, ପିସି ନେଉଛି ତାକୁ ଧରୁଛୁ। ପିଅନ ହୁଅନ୍ତୁ କି ଆଇଏଏସ୍, ଖଣି ଚୋରିରୁ ଆରମ୍ଭ କରି ଚିଟ୍ଫଣ୍ଡ ଦୁର୍ନୀତି ପର୍ଯ୍ୟନ୍ତ କାହାକୁ ଛଡ଼ାଯିବନି। ବିଜେପି ସରକାରର ବର୍ଷକ ମଧ୍ୟରେ ଦୁର୍ନୀତି କରିଥିବା ଆଇଏଏସ୍, ଓଏଏସ୍ କାହାକୁ ଛଡ଼ାଯାଇନି କି ଆଗାମୀ ଦିନରେ ଛଡ଼ାଯିବନି। କୌଣସି ଦୁର୍ନୀତିଗସ୍ତ ଏଠି ସୁରକ୍ଷିତ ନୁହନ୍ତି। ସେ ଆହୁରି ମଧ୍ୟ କହିଛନ୍ତି,ରାଜ୍ୟରେ ଯେତେ ବଡ଼ ଦୁର୍ନୀତି ହୋଇଛି, ଯେଉଁ ଆପରାଧିକ ଫାଇଲ୍ ପୁଣି ଖୋଲିବ ବୋଲି କୁହାଯାଇଛି ତା’ର ଭିତିରି ରହସ୍ୟ ନିଶ୍ଚିତ ପଦାକୁ ଆସିବ। ସରକାର ସବୁ ଦୁର୍ନୀତି, ଅପରାଧ ଉପରେ କାର୍ଯ୍ୟାନୁଷ୍ଠାନ ନେବେ। ଖଣି ଦୁର୍ନୀତି, ଚିଟ୍ଫଣ୍ଡ ଆଦି ପ୍ରସଙ୍ଗରେ ସରକାର ଓହରି ଯାଇନାହାନ୍ତି କି ଚୁପ୍ ହୋଇ ବସିନାହାନ୍ତି। କାର୍ଯ୍ୟାନୁଷ୍ଠାନ ନେବାବେଳେ ଅଧିକ ତଦନ୍ତର ଆବଶ୍ୟକତା ଅଛି, ଅଧିକ ତଥ୍ୟ ବି ଦରକାର। ତାହା କରାଯିବ। ସରକାର ଠିକ୍ ସମୟରେ ପଦକ୍ଷେପ ନେବେ। ଆମେ ୫ବର୍ଷ ପାଇଁ ସରକାରକୁ ଆସିଛୁ, ବର୍ଷକ ପାଇଁ ନୁହେଁ। ମୋ ଭିତରେ ସରଳତା ଅଛି, ହେଲେ ଏହି ସରଳତାକୁ ଦୁର୍ବଳତା ବୋଲି ଭାବନି। ଯିଏ ଦୁର୍ନୀତି କରିଛି, ଯିଏ ଦୁର୍ନୀତି କରିବ ସେ ଜେଲ୍ ଯିବ।
ପୂର୍ବର ବିଜେଡି ସରକାରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ ବର୍ଷର ଶାସନରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ କରିନଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଷକ ମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକଙ୍କ ବିଭିନ୍ନ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇଛନ୍ତି। ବିଭିନ୍ନ ପ୍ରଶ୍ନର ଉତ୍ତର ଦେଲା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକାୟୁକ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କମ୍ ସମୟରେ ଲୋକାୟୁକ୍ତଙ୍କୁ ନିଯୁକ୍ତି ଦିଆଯିବ। ଆମେ ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ଦେଇଥିବାବେଳେ ଚଳିତବର୍ଷ ହିଁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏହା ଲାଗୁ ହେବ। ଦୀଘାରେ ନିର୍ମାଣ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରକୁ ପଶ୍ଚିମବଙ୍ଗ ସରକାର ‘ଜଗନ୍ନାଥ ଧାମ’ ନାମ ଦେଇଥିବା ବେଳେ ଏହାକୁ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯେଉଁ ଚିଠି ଲେଖିଥିଲି ତା’ର ଉତ୍ତର ମିଳିନି। ମମତା ବାନାର୍ଜୀ ଏହା ଉପରେ କେବଳ ବିବୃତି ମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ଏହା ସହ କହିଛନ୍ତି ଯେ ଶଙ୍କରାଚାର୍ଯ୍ୟ ପ୍ରତିଷ୍ଠା କରିଥିବା ଚାରି ଧାମକୁ କେହି ବଦଳାଇପାରିବେ ନାହିଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଅହଙ୍କାର ଅଛି ସେଥିରେ କୌଣସି ଧାମର ପ୍ରତିଷ୍ଠା ହୋଇପାରିବନି। ଲୋକ ନିଶ୍ଚିତ ଏହାର ଜବାବ ଦେବେ।
ମୁଖ୍ୟମନ୍ତ୍ରୀ କହିଥିଲେ, ‘ବର୍ଷ ଏକ, ହେଲେ ଉପଲବ୍ଧି ଅନେକ’ ହୋଇଛି। ଆମେ ନିର୍ବାଚନ ବେଳେ ଦେଇଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି ପୂରଣ କରିଛୁ। ଏହାବାଦ୍ ଅନେକ ନୂଆ ପଦକ୍ଷେପ ନେଇଛୁ। ବାକି ୧୦ଟି ଖୁବ୍ଶୀଘ୍ର ପୂରଣ ହେବ। କିନ୍ତୁ ଏହି ବର୍ଷକ ମଧ୍ୟରେ ତାଙ୍କର ସବୁଠୁ ବଡ଼ ଉପଲବ୍ଧି ହେଉଛି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଲୋକଙ୍କ ଅଭିଯୋଗର ତୁରନ୍ତ ଶୁଣାଣି କରିବା। ନିଜର ଅନୁଭୂତି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ସରପଞ୍ଚରୁ ବିଧାୟକ ହେଲି। ଏହାପରେ ମୁଖ୍ୟମନ୍ତ୍ରୀ ହେଲି। ପୂର୍ବରୁ କେବେ ମନ୍ତ୍ରୀ ହୋଇନଥିଲି। କିନ୍ତୁ ବିଧାୟକ, ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ଯେଉଁ ସବୁ ଅଭିଜ୍ଞତା ହାସଲ କରିଥିଲି, ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରିଥିଲି, ତାହା ହିଁ ଏବେ ମୁଖ୍ୟମନ୍ତ୍ରୀ ଭାବେ ମୋର ପୁଞ୍ଜି। ସେହି ଅଭିଜ୍ଞତା ଭିତ୍ତିରେ ଅଭିଯୋଗ ପ୍ରକୋଷ୍ଠକୁ ଆସୁଥିବା ଦିବ୍ୟାଙ୍ଗ, ଅସହାୟ ଲୋକଙ୍କ ଦୁଃଖ ବୁଝିପାରୁଛି। ଏହିଠାରେ ହିଁ ଶୁଣାଣି ବେଳେ ତୁରନ୍ତ ତା’ର ସମାଧାନ କରିବାକୁ ଚେଷ୍ଟା କରୁଛି। ଲୋକ କହୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ, ଲୋକଙ୍କ ସରକାର। ବର୍ଷକର ମୁଖ୍ୟମନ୍ତ୍ରୀ ଭାବେ ଏହା ହିଁ ମୋ ଜୀବନର ସବୁଠୁ ବଡ଼ ଉପଲବ୍ଧି। ସାମ୍ବାଦିକଙ୍କୁ ପେନ୍ସନ୍ ଏବଂ ବିଭିନ୍ନ ଦାବିକୁ ଆଗାମୀ ଦିନରେ ବିଚାର କରି ସରକାର ଉପଯୁକ୍ତ ସମୟରେ ପଦକ୍ଷେପ ନେବେ।
ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରକାରଙ୍କ ବର୍ଷକର ସଫଳତା ବିଷୟରେ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ସରକାର ଗଠନ ହେବା ପରେ ପରେ ପ୍ରଥମ ବୈଠକ କରି ୨୪ମିନିଟ୍ରେ ୪ଟି ବଡ଼ ନିଷ୍ପତ୍ତି ନେଲୁ। ଏହା ପ୍ରମାଣ କରୁଛି ଯେ ଲୋକଙ୍କ ପାଇଁ କାମ କରିବାର ଇଚ୍ଛାଶକ୍ତି ଥିଲେ ୨୪ବର୍ଷର ସରକାର ଦରକାର ନାହିଁ, ୨୪ମିନିଟ୍ ଯଥେଷ୍ଟ। ଆମେ ଗରିବ, ଅନ୍ନଦାତା (କୃଷକ), ଯୁବକ ଓ ମହିଳାଙ୍କ ପାଇଁ ନିରନ୍ତର କାମ କରୁଛୁ। ଚାଷୀଙ୍କ ଆୟ ବଢ଼ାଇବାଠାରୁ ଆରମ୍ଭ କରି, ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟ ବ୍ୟବସ୍ଥା, ଭିତ୍ତିଭୂମି, ନିଯୁକ୍ତି ଦେଉଛୁ। ଆମେ ୫ବର୍ଷରେ ଦେଢ଼ଲକ୍ଷ ସରକାରୀ ନିଯୁକ୍ତି ଦେବୁ କହିଛୁ। ପ୍ରଥମ ବର୍ଷରେ ଅତ୍ୟନ୍ତ ସ୍ବଚ୍ଛ ପଦ୍ଧତ୍ତିରେ ପ୍ରାୟ ୨୮ହଜାର ନିଯୁକ୍ତି ଦେଇଛୁ। ୨୦୨୫-୨୬ରେ ୪୦ହଜାର ନିଯୁକ୍ତି ଦେବୁ। ଓଡ଼ିଶା ଏବେ ଶିଳ୍ପର ହବ୍ ହେବାକୁ ଯାଉଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ସରକାର ୫ଲକ୍ଷ କୋଟି ନିବେଶ ଯୋଗାଡ଼ କରିବାରେ ବିଫଳ ହୋଇଥିବାବେଳେ ଆମେ ୧୩ଲକ୍ଷ କୋଟିର ନିବେଶ ପାଇଛୁ। ୧୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପୂର୍ବ ସରକାର ଏମ୍ଓୟୁ କରୁଥିବା ପ୍ରକଳ୍ପର ଶିଳାନ୍ୟାସ କରିପାରୁ ନଥିଲା, ହେଲେ ଆମେ ୪ଟି ଶିଳାନ୍ୟାସ କାର୍ଯ୍ୟକ୍ରମ କରିସାରିଲୁଣି। ଏହା କେବଳ ଡବଲ୍ ଇଞ୍ଜିନ୍ ସରକାରରେ ସମ୍ଭବ। ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବୁ। ପୂର୍ବ ସରକାର ବଡ଼ ପ୍ୟାକେଜ୍ କରି ଦକ୍ଷିଣ ଭାରତର କିଛି ଠିକା ସଂସ୍ଥାଙ୍କୁ କାମ ଦେଇଥିଲେ। ୧୦ବର୍ଷ ହେଲା ପ୍ରକଳ୍ପ ସରୁନି। ଆମେ ବର୍ଷକରେ ପ୍ରକଳ୍ପଗୁଡ଼ିକର ୯୦% କାମ ଶେଷ କଲୁଣି। ଖୁବ୍ଶୀଘ୍ର ଲୋକଙ୍କ ଜଳକଷ୍ଟ ଦୂର ହେବ ବୋଲି ଶ୍ରୀ ମାଝୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ବର୍ଷର ସଫଳତା କହିବା ସହ ସୂଚନା ଦେଇଛନ୍ତି ଯେ ୨୦୩୬ ପାଇଁ ୩୬ଟି କାର୍ଯ୍ୟକ୍ରମ ନେଇଛୁ। ଏହାକୁ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉନ୍ମୋଚନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫-ଟି ସ୍କୁଲ ରୂପାନ୍ତରଣ, ଜାତୀୟ ଶିକ୍ଷାନୀତି ଲାଗୁ ନହେବା, ରାଜ୍ୟରେ ଦୁର୍ନୀତି ବଢ଼ିବା, ପୁଞ୍ଜିନିବେଶ ନହେବା, ଅଣଓଡ଼ିଆ ଠିକାସଂସ୍ଥାଙ୍କୁ କାମ ଦେବା ଆଦି ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ୍ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ।