ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ୧୫ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ୨୦ ଫେବ୍ରୁଆରୀ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍ ପଡ଼ିବ । ୫ଟାରୁ ଗଣତି ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଓଡ଼ିଶାର ତିନି ରାଜ୍ୟସଭା ସିଟ ପାଇଁ ନିର୍ବାଚନ ହେବ । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ ।
ଓଡ଼ିଶାରେ ୩ ସଦସ୍ୟଙ୍କ ପାଇଁ ଶାସକ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ।ଏନେଇ ଜାନୁଆରୀ ୨୯ ତାରିଖ ଦିନ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଛି । କାର୍ଯ୍ୟକାଳ ସରୁଥିବା ସାଂସଦମାନଙ୍କ ଭିତରୁ କେହି ରିପିଟ୍ ହେବାର ସମ୍ଭାବନା କମ୍ ଥିବାରୁ ବିଜେଡି ସୁପ୍ରିମୋ କେଉଁ ନୂଆ ଚେହେରାକୁ ପଠାଇବେ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏମାନଙ୍କ ସ୍ଥାନରେ କିଏ ରାଜ୍ୟସଭାକୁ ଯିବେ ତାକୁ ନେଇ ସରଗରମ ହେଲାଣି ରାଜନୀତି । ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡି ହାତକୁ ଯିବା ନିଶ୍ଚିତ ।୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ନିର୍ବାଚନ ଘୋଷଣା ହୋଇଥିବାରୁ ଏହା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ।
କାରଣ ସାଧାରଣ ନିର୍ବାଚନରେ ଯେଉଁ ବରିଷ୍ଠ ନେତା ଟିକେଟ୍ ପାଇନଥାନ୍ତି, ସେମାନଙ୍କୁ ରାଜ୍ୟସଭାକୁ ଆଣିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ । ୧୫ଟି ରାଜ୍ୟର ମୋଟ୍ ୫୬ ଜଣଙ୍କ କାର୍ଯ୍ୟକାଳ ବି ପୂରୁଥିବାରୁ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନ । ଏଥିପାଇଁ ଆସନ୍ତା ଫେବ୍ରୁଆରୀ ୨୭ରେ ହେବ ନିର୍ବାଚନ । ୮ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଫେବ୍ରୁଆରୀ ୧୫ରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଛି ।