ଜଳୁଛି ଓଡିଶା

0
Oplus_0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ସକାଳ ୮ଟାରୁ ତାତିରେ ଖଇ ଫୁଟୁଛି ସାରା ରାଜ୍ୟ। ଉପକୂଳରୁ ଉପାନ୍ତ, ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ସମାନ ସ୍ଥିତି। କେଉଁଠି ବି ତାତିରୁ ନିସ୍ତାର ମିଳୁ ନାହିଁ। ଦିନ ବଢ଼ିବା ସହ ତାତିର ପ୍ରକୋପ ଏତେ ବଢ଼ିଯାଉଛି ଯେ ଶରୀରରୁ ଜଳୀୟ ଅଂଶ କମିଯାଉଛି। ସ୍ଥାନେ ସ୍ଥାନେ ଲୋକେ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ତାତି ପ୍ରକୋପରେ କିଏ ରାସ୍ତାରେ ଟଳି ପଡ଼ୁଛନ୍ତି ତ ଆଉ କିଏ ପ୍ରତି ମୂହୂର୍ତ୍ତରେ ଗଛ ଛାଇ ଖୋଜୁଛନ୍ତି। ଲଗାତାର ୧୨ ଦିନ ହେଲା ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗିରହିଛି।

ଆଗାମୀ ୪ ଦିନ ଆହୁରି ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଏବେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି, ଯାହାକି ଆଗାମୀ ୫ରୁ ୬ ଦିନ ପର୍ଯ୍ୟନ୍ତ ଲାଗିରହିବ। ତେଣୁ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ ଡିଗ୍ରି ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ।

ଆସନ୍ତା ଦୁଇ ଦିନ ମଧ୍ୟରେ ୧୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ଭୀଷଣ ଗ୍ରୀଷ୍ମପ୍ରବାହ(ସିଭିଅର ହିଟ୍‌ୱେଭ୍‌) ସ୍ଥିତି ଲାଗିରହିବାକୁ ଥିବାରୁ ରେଡ୍‌ ଆଲର୍ଟ ଜାରି ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୨୭ରୁ ୨୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ୩୯ରୁ ୪୧ ଡିଗ୍ରି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୧ରୁ ୪୩ ଡଗ୍ରି ମଧ୍ୟରେ ରହିବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଉପକୂଳରେ ୨୪ରୁ ୨୬ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ରୁ ୨୫ ଡିଗ୍ରି ମଧ୍ୟରେ ରହିଛି। ଏହି ସମୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ୨୭ ଓ ୨୮ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ହିଟ୍‌ୱେଭ୍‌ରୁ ସିଭିଅର ହିଟ୍‌ୱେଭ୍‌ ଅନୁଭୂତ ହେବାକୁ ଥିବାରୁ ରେଡ୍‌ ଆଲର୍ଟ ଜାରି କରାଯାଇ ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି।

ଏପ୍ରିଲ ୨୯ ଓ ୩୦ ତାରିଖରେ ଝାରସୁଗୁଡ଼ା, ମାଲକାନଗିରି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାକୁ ରେଡ୍‌ ଆଲର୍ଟ ସହ ବାକି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here