ବିପ୍ଲବୀ ପରିକ୍ରମା ଡିଜିଟାଲ :- ଡହ ଡହ ଖରାରେ ସିଝୁଛି ଓଡ଼ିଶା। କେଉଁଠି ତାତି ତ ଆଉ କେଉଁଠି ଗୁଳୁଗୁଳି ଅସ୍ତବ୍ୟସ୍ତ କରି ପକାଇଛି। ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରରେ ଆକାଶରୁ ନିଆଁ ବର୍ଷା ହେଉଛି। ସ୍ଥିତି ଏମିତି ହୋଇଛି ଯେ ଝାରସୁଗୁଡ଼ାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରି ରେକର୍ଡ ସହ ପ୍ରଥମଥର ପାଇଁ ଓଡ଼ିଶାର କୌଣସି ସହର ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଛି। ଝାରସୁଗୁଡ଼ା ଦେଶର ଦ୍ବିତୀୟ ଉତ୍ତପ୍ତ ସହରରେ ପରିଣତ ହୋଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଆଜି ଦିନର ତାପମାତ୍ରା ୪୫.୬ ଡିଗ୍ରି ରହିବା ସହ ଦେଶର ଉତ୍ତପ୍ତ ସହର ପାଲଟିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଝାରସୁଗୁଡ଼ା ସମେତ ୧୪ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ। ୨୨ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୬ ଡିଗ୍ରି ଛୁଇଁବାର ସମ୍ଭାବନା ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ, ସମ୍ବଲପୁର, ରାଉରକେଲା ଓ ନୂଆପଡ଼ା ତାପମାତ୍ରା ୪୩ ଡିଗ୍ରି ଉପରେ ରହିପାରେ। ୨୩ ଓ ୨୪ ତାରିଖରେ ଝାରସୁଗୁଡ଼ା ତାପମାତ୍ରା ୪୭ ଡିଗ୍ରି ମୁହାଁ ହେବ। ବଲାଙ୍ଗୀର ଓ ବୌଦ୍ଧରେ ୪୫ ଡିଗ୍ରି ଡେଇଁବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା, ଟିଟିଲାଗଡ଼, ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।