ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ପାଟିକୋଟା ଗ୍ରାମ ନିକଟରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ରାୟଗଡ ବ୍ଲକ କରଡାସିଂ ପଞ୍ଚାୟତ ଅନ୍ତର୍ଗତ ଡାଳିମ୍ବପୁର ଗ୍ରାମର ପ୍ରଭାତ ଭୂୟାଁ ବୋଲି ଜଣାପଡିଛି । ଅନ୍ୟଜଣେ ଆହତ ହୋଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ପ୍ରଭାତ ଓ ତାଙ୍କ ସାଙ୍ଗ ସନ୍ଧ୍ୟା ସମୟରେ ନିଜ ଗ୍ରାମ ଡାଳିମ୍ବପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଓଡି ୨୦ ବି ୭୫୮୩ ନମ୍ବର ବିଶିଷ୍ଟ ସ୍କୁଟିରେ ଯାଉଥିଲେ । ସେହି ସମୟରେ ସେ ସମାନ ଦିଗରେ ଯାଉଥିବା ଏକ ଟ୍ରାକ୍ଟରକୁ ଅତିକ୍ରମ କରିବା ବେଳେ ବିପରୀତ ପାର୍ଶ୍ବରୁ ଏକ କାର୍ ଦ୍ରୁତଗତିରେ ମାଡି ଆସିଥିଲା । ସେତେବେଳେ ସେ ଭାରସାମ୍ୟ ହରାଇ ଟ୍ରାକ୍ଟର ତଳେ ପଡିଯାଇଥିଲେ । ଘଟଣା ସମ୍ପର୍କରେ ଗୁରାଣ୍ଡି ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ଘଟଣାସ୍ଥଳରୁ ଚମ୍ପଟମାରିଥିବାର ଜଣାପଡିଛି ।