ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରା ଗ୍ରାମରେ ଜଣେ ଚାଷୀ ନିଜ ଚାଷ ଜମିରେ ସାର ସିଞ୍ଚନ କଲା ବେଳେ ଏହାର ବିଷକ୍ରିୟା ଜନିତ ବାୟୁର ଚାପରେ ଆସି ମୃତ୍ୟୁବରଣ କରିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଏମ୍.ଫାଲଗୁନା (୪୬) ଚାଷ ଜମିରେ ସାର ସିଞ୍ଚନ କରୁଥିଲେ । ତେବେ ଏହି ସାର ବାୟୁ ଦ୍ବାରା ନିଶ୍ବାସ ପ୍ରଶ୍ବାସ ବେଳେ ତାଙ୍କ ଶରୀରକୁ ଚାଲିଯାଇଥିଲା । ଏହାର ପ୍ରଭାବରେ ସେ ଅଚେତ ହୋଇପଡି ଗୁରୁତର ହୋଇପଡିଥିଲେ । ତାଙ୍କ ପରିବାର ଲୋକେ ତୁରନ୍ତ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।
ହେଲେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା । ଫାଲଗୁନାଙ୍କୁ ତାଙ୍କ ପରିବାର ଲୋକେ ଶ୍ରୀକାକୁଲମ ସ୍ଥିତ ଘରୋଇ ହସ୍ପିଟାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ପାରଳାଖେମୁଣ୍ଡି ଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏ ନେଇ ଗୁରାଣ୍ଡି ଥାନାରେ ୫/୨୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏହି ଘଟଣାର ତଦନ୍ତ ଏଏସ୍ଆଇ ସୁନନ୍ଦା ପାତ୍ର କରୁଥିବାର ଜଣାପଡିଛି ।