ପହଲଗାମ ଆତଙ୍କବାଦୀ ଆକ୍ରମଣ : କୂଟନୈତିକ ଯୁଦ୍ଧ ଆରମ୍ଭ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ କେନ୍ଦ୍ର ସରକାର ଆଜି ସୀମାପାର ଆତଙ୍କବାଦ ଚଳାଇଥିବା ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଘୋଷଣା କରିଛନ୍ତି। ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ଏବଂ ପାକିସ୍ତାନୀ ନାଗରିକଙ୍କୁ ଭାରତରେ ପ୍ରବେଶ ଉପରେ ରୋକ ଲଗାଇବା ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଏସ୍) ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ପର୍ଯ୍ୟନ୍ତ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ତୁରନ୍ତ ସ୍ଥଗିତ ରଖାଯିବ ବୋଲି ଘୋଷଣା କରାଯାଇଛି। ଏହାସହିତ ସମନ୍ୱିତ ଅଟାରୀ-ୱାଘା ଚେକ୍‌ପୋଷ୍ଟ ତୁରନ୍ତ ବନ୍ଦ କରାଯିବ। ଯେଉଁମାନେ ବୈଧ ଅନୁମୋଦନ ସହିତ ସୀମା ଅତିକ୍ରମ କରିଛନ୍ତି ସେମାନେ ମେ ୧, ୨୦୨୫ ପୂର୍ବରୁ ସେହି ମାର୍ଗ ଦେଇ ଫେରିପାରିବେ। ସାର୍କ ଭିସା ଛାଡ଼ ଯୋଜନା ଅଧୀନରେ ପାକିସ୍ତାନୀ ନାଗରିକମାନେ ଭାରତ ଯାତ୍ରା କରିପାରିବେ ନାହିଁ। ଏହା ସହିତ ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରୁ ଭାରତ ନିଜର ପ୍ରତିରକ୍ଷା, ନୌସେନା ଏବଂ ବାୟୁ ପରାମର୍ଶଦାତାଙ୍କୁ ପ୍ରତ୍ୟାହାର କରିବ। ସେହିଭଳି ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନରେ ପ୍ରତିରକ୍ଷା, ସାମରିକ, ନୌସେନା ଓ ବାୟୁସେନା ପରାମର୍ଶଦାତାଙ୍କୁ ବ୍ୟକ୍ତିଗତ ଭାବେ ‘ଅଲୋଡ଼ା’ ଘୋଷଣା କରାଯାଇଛି। ଭାରତ ଛାଡ଼ିବା ପାଇଁ ସେମାନଙ୍କୁ ଏକ ସପ୍ତାହ ଦିଆଯାଇଛି। ହାଇକମିସନର ସମୁଦାୟ ସଦସ୍ୟ ସଂଖ୍ୟା ୩୦କୁ ହ୍ରାସ କରାଯିବ ବୋଲି ଭାରତ ଘୋଷଣା କରିଛି। ବୁଧବାର ସନ୍ଧ୍ୟାରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିବା ନିରାପତ୍ତା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଏନ୍‌ଏସ୍‌ଏ ଅଜିତ ଡୋଭଲ ଓ ଅନ୍ୟ ଶୀର୍ଷ ସୁରକ୍ଷା ଅଧିକାରୀ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ବା‌ସଭବନରେ ଅନୁଷ୍ଠିତ ନିରାପତ୍ତା ସଂକ୍ରାନ୍ତ ବୈଠକରେ କଶ୍ମୀରର ସୁରକ୍ଷା ପ୍ରସଙ୍ଗ ଏବଂ ଆତଙ୍କବାଦୀଙ୍କୁ ନିପାତ ପାଇଁ ରଣନୀତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଓ ଏହାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ପହଲଗାମ ଆକ୍ରମଣରେ ସାମିଲ ଆତଙ୍କୀ ଓ ଏହା ପଛରେ ଥିବା ଷଡ୍‌ଯନ୍ତ୍ରକାରୀଙ୍କୁ ନିସ୍ତାର ମିଳିବ ନାହିଁ ବୋଲି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀନଗରରେ ଆଜି ଗୃହମନ୍ତ୍ରୀ ଶାହ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରି ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଚାଲିଥିବା ଅଭିଯାନ ଆହୁରି ବ୍ୟାପକ ହେବ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here