ବିପ୍ଲବୀ ପରିକ୍ରମା ଡିଜିଟାଲ :- କାର୍ତ୍ତିକ ମାସ ଶେଷ ହେବାକୁ ବାକି ଅଛି ମାତ୍ର ଆଉ ୫ ଦିନ l ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ଧାମ l ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲାଗିରହିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି। ଭକ୍ତମାନେ ଶ୍ରୀଜିଉଙ୍କ ଏହି ବେଶ ଦର୍ଶନ କରୁଛନ୍ତି। କାର୍ତ୍ତିକ ମାସର ଶେଷ ଏହି ପାଞ୍ଚଦିନ ସବୁଠାରୁ ପବିତ୍ର। ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି, ସେମାନେ ଏହି ଶେଷ ପାଞ୍ଚଦିନ କାର୍ତ୍ତିକ ବ୍ରତ ପାଳନ କରି ସମାନ ପୁଣ୍ୟ ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ ରହିଛି। କାର୍ତ୍ତିକ ଶେଷ ୫ ଦିନରେ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଏକାଦଶୀ ତିଥିରେ ଲକ୍ଷ୍ମୀ ନାରାୟଣ, ଦ୍ୱାଦଶୀରେ ବାଙ୍କଚୁଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବା ସୁନାବେଶରେ ମହାପ୍ରଭୁଙ୍କ ଦର୍ଶନ ମିଳିଥାଏ।ପ୍ରବଳ ଜନ ସମାଗମ ହୋଇଥିବାରୁ ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।