ନବୀନଙ୍କ ଆଗରେ ‘ପାଣ୍ଡିଆନ୍‌ ଗୋ ବ୍ୟାକ୍‌’ ନାରା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏହିପରି ଅନେକ ନାରାରେ ଗର୍ଜନ କରୁଛି ବିଜୁ ଜନତା ଦଳ l ନବୀନ ନିବାସ ଏମିତି ନାରା ମଧ୍ୟରେ ଥରହର ହେଲାଣି l ଆଉ କେହି ନୁହେଁ, ଖୋଦ୍ ବିଜେଡି କର୍ମୀ ଏଭଳି ନାରା ଦେଇଛନ୍ତି। ସମାନ୍ତରାଳ ଭାବେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନି ବି ଦିଆଯାଇଛି l ଅନ୍ୟପଟେ ଠିକ ଏହି ସମୟରେ ଗଣମାଧ୍ୟମରେ ସାଂସଦ ଦେବାଶିଷ ସାମନ୍ତରାୟ ସିଧା ସିଧା କହିଛନ୍ତି ଯେ ୱକଫ୍‌ ବିଲ୍‌ ପ୍ରସଙ୍ଗରେ ହୋଇଥିବା ଷଡ୍‌ଯନ୍ତ୍ର ପାଇଁ ଭି କେ ପାଣ୍ଡିଆନ ଦାୟୀ। ତାଙ୍କରି ଇଙ୍ଗିତରେ ହିଁ ‌ଦଳର ନିଷ୍ପତ୍ତି ‌ଶେଷ ମୂହୁର୍ତ୍ତରେ ବଦଳିଗଲା l

ସୋମବାର ମଧ୍ୟାହ୍ନରେ ସାଂସଦ ମୁନା ଖାନ୍‌ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଶତାଧିକ ସମର୍ଥକ ସ୍ବାଗତ କରିଥିଲେ। ବିମାନବନ୍ଦର ବାହାରକୁ ଆସିଲା ମାତ୍ରେ ଶବ୍ଦ ବିସ୍ଫୋରଣ କରିଥିଲେ ମୁନା। କହିଥିଲେ, ବିଜେଡି ହେଉଛି ଧର୍ମନିରପେକ୍ଷ ଦଳ। ନବୀନ ବାବୁ ଧର୍ମନିରପେକ୍ଷ ନେତା। ସଂସଦରେ ୱକଫ୍‌ ବିଲ୍‌କୁ ବିରୋଧ କରିବା ଲାଗି ସୁପ୍ରିମୋ ସବୁ ସଦସ୍ୟଙ୍କୁ କହିଥିଲେ। ଯେତେ ବେଳେ ରାଜ୍ୟସଭାରେ ବିଲ୍‌ ଆସିଲା ମୁଁ ବିରୋ‌ଧ କଲି। କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ବିଟ୍‌ କରି କହିଲେ, ବିବେକ ଅନୁସାରେ ଭୋଟ୍‌ ଦିଅନ୍ତୁ। କିନ୍ତୁ ଟ୍ବିଟ୍‌ କରିବା ପରଠାରୁ ଏ ଯାଏଁ ତାଙ୍କୁ ମୁଁ ପାଉନି। ସେ ବିଦେଶ ଗସ୍ତରେ ଅଛନ୍ତି। ତାଙ୍କୁ ସମର୍ଥନ କରିବାକୁ କିଏ କହିଲା, ଫେରିଲେ ସେ ଉତ୍ତର ଦେବେ। ସଂସଦୀୟ ଗଣତନ୍ତ୍ରରେ ସମର୍ଥନ କିମ୍ବା ବିରୋଧ କରାଯାଏ। ନଚେତ କକ୍ଷତ୍ୟାଗ ଭଳି ନିଷ୍ପତ୍ତି ନିଆଯାଏ। ସଂସଦୀୟ ଦଳ ନେତା ବିବେକ ଅନୁସାରେ ଭୋଟ୍‌ ଦେବାକୁ କହିବା ସଂସଦୀୟ ଇତିହାସରେ ବିରଳ ଘଟଣା। ସେ ଆହୁରି ସତର୍କ କରାଇଦେଇଥିଲେ, ଯାହାର ବିବେକ କିମ୍ବା ଆତ୍ମା ବିଜେପିକୁ ସମର୍ଥନ କରିବାକୁ କହୁଛି ସେ ବିଜେପିକୁ ଚାଲିଯାଆନ୍ତୁ। ବିଜେଡିରେ ଦୋମୁହାଁ ନୀତି ରଖୁଥିବା ଲୋକଙ୍କର ଜାଗା ନାହିଁ।

ଏହା ପରେ ମୁନା ସମର୍ଥକମାନଙ୍କ ସହ ନବୀନ ନିବାସ ଯାଇଥିଲେ। ସେଠାରେ ତାଙ୍କ ସମର୍ଥକମାନେ ନବୀନ ପଟ୍ଟନାୟକ ଜିନ୍ଦାବାଦ, ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେଇଥିଲେ। ନବୀନ ସେମାନଙ୍କ ସହ କଥା ହେବା ପାଇଁ ବାହାରକୁ ଆସିଥିଲେ। ନବୀନ କହିଥିଲେ, ବିଜେଡି ସବୁ‌ବେଳେ ସଂଖ୍ୟାଲଘୁଙ୍କ ସହ ଅଛି ଓ ଧର୍ମନିରପେକ୍ଷ ନୀତିରେ ବିଶ୍ବାସ କରେ। ଏହି ଆଦର୍ଶ ପାଇଁ ୨୦୦୯ରେ ମେଣ୍ଟରୁ ବିଜେଡି ବାହାରି ଯାଇଥିଲା। ତେଣୁ ସଂଖ୍ୟାଲଘୁମାନଙ୍କ ସ୍ବାର୍ଥ ପାଇଁ ବିଜେଡି ତା’ର ଲଢ଼େଇ ଜାରି ରଖିବ। କିନ୍ତୁ ୱକଫ୍‌ ବିଲ୍‌କୁ ବିଜେଡି କାହିଁକି ବିରୋଧ କଲା ନାହିଁ, ସେ ସମ୍ପର୍କରେ ନବୀନ କିଛି କହି ନଥିଲେ। ଏହି ଘଟଣାକୁ ସେ ଅନୁଧ୍ୟାନ କରିବେ ବୋଲି କହିଥିଲେ। ୱକଫ୍‌ ବିଲ୍‌ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ବଦଳିବ l

ଅନ୍ୟ ପକ୍ଷରେ ଘଟଣାକୁ ପ୍ରଥମ ଦିନରୁ ନିନ୍ଦା କରି ଆସୁଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ। ପୂର୍ବରୁ ସେ ପାଣ୍ଡିଆନଙ୍କ ନାଁ ନ ନେଇ ପରୋକ୍ଷରେ ତାଙ୍କୁ ଟାର୍ଗେଟ୍‌ କରିଥିବା ବେଳେ ସୋମବାର ସିଧାସଳଖ ତାଙ୍କ ନାଁ ନେଇଥିଲେ। ସେ କହିଛନ୍ତି, ପାଣ୍ଡିଆନ ହିଁ ଷଡ୍‌ଯନ୍ତ୍ର କରିଛନ୍ତି। ବିଜେଡିର ଆଜିର ପରିସ୍ଥିତି ପାଇଁ ପାଣ୍ଡିଆନ ଦାୟୀ। ସେ ବିଜେଡିକୁ ବିକ୍ରି କରିଦେଇଛନ୍ତି। ସେ ହିଁ ଦଳର ନିଷ୍ପତ୍ତି ନେଉଛନ୍ତି।

ଏହାର କିଛି ସମୟ ପରେ ବିଜେଡିର ଚାରି ସାଂସଦ,ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ, ଟ୍ବିଟ୍‌ କରି ଦେବାଶିଷଙ୍କୁ ଗାଳି ଦେବା ସହ ପାଣ୍ଡିଆନଙ୍କ ପାଇଁ ଓକିଲାତି କରିଥିଲେ । ପାଣ୍ଡିଆନ୍ ରାଜନୀତିରେ ନାହାନ୍ତି, ତାଙ୍କୁ ବଦନାମ କରାଯିବା ଠିକ୍ ନୁହେଁ, ଦଳର ସଭାପତି ହିଁ ସବୁ ନିଷ୍ପତ୍ତି ନିଅନ୍ତି, ଯାହାର ଯାହା ଅଭିଯୋଗ ଅଛି, ପାର୍ଟି ଫୋରମ୍‌ରେ କହିବା‌ କଥା, ଗଣମାଧ୍ୟମରେ ଅଯଥାରେ ବୟାନବାଜି ଠିକ୍ ନୁହେଁ ବୋଲି ସେମାନେ ଦର୍ଶାଇଥିଲେ ।

ତେବେ ସାଂସଦଙ୍କ ଯୁକ୍ତିକୁ ଯଦି ଗ୍ରହଣ କରାଯାଏ, ତେବେ ୱକଫ୍ ବୋର୍ଡ ବିଲ୍‌ ପ୍ରସଙ୍ଗରେ ବିବେକାନୁମୋଦିତ ଭୋଟ୍ କଥା ନବୀନ ହିଁ ନେଇଛନ୍ତି ବୋଲି ବୁଝିବାକୁ ହେବ। ଅର୍ଥାତ ନବୀନ ହିଁ ସଂଖ୍ୟାଲଘୁଙ୍କ ବିରୋଧରେ ଭୋଟ୍‌ ପାଇଁ ରାସ୍ତା ଖୋଲିଦେଇଥିବା ଧରିନେବାକୁ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି। ପରୋକ୍ଷରେ ଏହି ସାଂସଦମାନେ ନବୀନଙ୍କୁ ଅଠାକାଠିରେ ପକାଇ ଦେଇଥିବା ଏହି ମହଲ ଯୁକ୍ତି ରଖିଛନ୍ତି।

 

ବିଜେଡିରେ ପ୍ରଥମ ଥର ପାଇଁ ଏପରି ଖୋଲା ଆରୋପ, ପ୍ରତ୍ୟାରୋପ ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ଏକପ୍ରକାର ହଲଚଲ କରି ଦେଇଛି । ଏକଦା ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର ଥାଇ ନବୀନ ନିବାସକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ଭିକେ ପାଣ୍ଡିଆନ। ନବୀନ ନିବାସକୁ କିଏ ଯିବେ, କିଏ ଆସିବେ ସେ ହିଁ ସ୍ଥିର କରୁଥିଲେ କିନ୍ତୁ ଆଜି ସେହି ନବୀନ ନିବାସରେ ତାଙ୍କୁ ହଟାଇବାକୁ ଆହ୍ବାନ ଦେଇ ନେତା ଓ କର୍ମୀ ପାଣ୍ଡିଆନଙ୍କୁ ଆଉ ବରଦାସ୍ତ କରିବା ମୁଡ୍‌ରେ ନଥିବା ସ୍ପଷ୍ଟ କରିଛନ୍ତି l ତେବେ ବୁଦ୍ଧିଜୀବୀ ମାନେ ତ ଚର୍ଚ୍ଚା କଲେଣି ଯେ ବିଜେଡି ଫାଳ ଫାଳ ହେବାରେ ଲାଗିଛି ଆଉ ଯାହା ସ୍ପଷ୍ଟ ଦେଖାଯାଉଛି l

LEAVE A REPLY

Please enter your comment!
Please enter your name here