ଅସାମାଜିକ ବ୍ୟକ୍ତିଙ୍କ ପାଲଟିଛି ସୁରକ୍ଷିତ ସ୍ଥାନ ପାରଳାଖେମୁଣ୍ଡି

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଅସାମାଜିକ ବ୍ୟକ୍ତିଙ୍କ ପାଲଟିଛି ସୁରକ୍ଷିତ ସ୍ଥାନ ପାରଳାଖେମୁଣ୍ଡି । ଅତି ଚତୁରତାର ସହ ଚୋରି, ଲୁଟ ଭଳି ଅପରାଧ ଘଟାଇ ଖସି ଯିବାରେ ସକ୍ଷମ ହେଉଛନ୍ତି ଅପରାଧୀ। ଆଉ ଅଧିକାଂଶ ଘଟଣାରେ ପୋଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି । ଗତ କାଲି ନୂତନ ବସଷ୍ଟାଣ୍ଡ ଓ ଜନଗହଳି ପୂର୍ଣ୍ଣ ଠାରେ ଏକ ପଲସର ବାଇ ଯୋଗେ ଆସି ମହିଳା ବେକରୁ ସୁନା ଚେନ ଝାଂପି ନେଇଗଲେ ଲୁଟେରା I

ସେହିପରି ୩୦/୭/୨୪ ଦିନ ସ୍ଥାନୀୟ ଏସବିଆଇ ଶାଖାରୁ ଟଙ୍କା ଉଠାଇ ICIC କାର୍ଯ୍ୟାଳୟରେ ଜମା କରିବା ପୂର୍ବରୁ ICIC କାର୍ଯ୍ୟାଳୟ ସମ୍ମୁଖରୁ ଗାଡ଼ି ଡିକିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଦୃଶ୍ୟ ICIC କାର୍ଯ୍ୟାଳୟ ଓ ଲୁଟେରାଙ୍କ ଗତିବିଧି ଏସବିଆଇ ସିସିଟିଭି ଫୁଟେଜରେ ଦେଖୁବାକୁ ମିଳିଛି। ଏସବିଆଇରେ ସୁରକ୍ଷା କର୍ମୀ ନିଯୋଜିତ ଥିବା ସତ୍ତ୍ୱେ ଦୁର୍ବୃର ବ୍ୟାଙ୍କ ଭିତରେ ପ୍ରବେଶ କରି ଲୋକଙ୍କ ପିଛା କରିବାକୁ ସାହସ କରିପାରୁଛନ୍ତି। କିଛିଦିନ ପୂର୍ବେ ସହରରେ ଘଟିଥିବା ବଡ଼ ଧରଣର ଚୋରି ଗୁଡ଼ିକରେ ନା ଚୋର ଧରାପଡ଼ିଛନ୍ତି ନା ଚୋରି ହୋଇଥିବା ଟଙ୍କା । ସୁନା ଫେରି ପାଉଛନ୍ତି ଲୋକେ । ସେହିଭଳି ଗତମାସ ୨୪ ତାରିଖରେ ଏକ ଅପହରଣ ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ସତ କିନ୍ତୁ ଅନେକ ଚୋରି ଘଟଣାରେ ଅପରାଧୀଙ୍କୁ ଧରିବାରେ ବିଫଳତା ଯୋଗୁଁ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି। ପୋଲିସକୁ ଭୟ କରୁନାହାନ୍ତି ଦୁର୍ବୃତ୍ତ ।

ଗତମାସ ୨୯ ତାରିଖରେ ଶ୍ରଦ୍ଧାପୁର ଗ୍ରାମର ଏକ । ମନ୍ଦିରରୁ ୧୦ ତୋଳାର ଅଳଙ୍କାର ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଥିବା ବେଳେ, ଗତ ଏପ୍ରିଲ ୧୦ରେ ଓମ୍ ଶାନ୍ତି କଲୋନୀର ମିତା ପରିଡ଼ାଙ୍କ ଘରର ତାଲା ଭାଙ୍ଗି ୬ ତୋଳା ସୁନା ଚୋରି, ୨୧ରେ ଭିସ୍ତଳାର ଏମ ଡାବିତିନାଇଡୁ ଘରୁ ୮ ତୋଳା ସୁନା ଓ ନଗଦ ୬ ଲକ୍ଷ ଟଙ୍କା ଚୋରି, ଏପରିକି ମେ ୩୦ ତାରିଖରେ ଦିନ ଦ୍ବିପହରରେ ପାରଳାଖେମୁଣ୍ଡି ବିଶ୍ବନାଥ ନଗରର ସସ୍ମିତ ପଟ୍ଟନାୟକଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ନଗଦ ୪ ଲକ୍ଷ ଟଙ୍କା ଓ ୪ ତୋଳାରୁ ସୁନା ଲୁଟ, ଏପରି ଅନେକ ବଡ଼ ଧରଣର ଚୋରି ଘଟଣାର ଏଯାଏଁ ଟେର ପାଉନି ପୋଲିସ। ରାତିରେ ବିଭିନ୍ନ ଅଞ୍ଚଳରେ ଆଲୁଅର ବ୍ୟବସ୍ଥା ନଥିବାରୁ ଏହାର ସୁଯୋଗରେ ଖସି ଯିବାରେ ସକ୍ଷମ ହେଉଛନ୍ତି ଅପରାଧୀ । ତେବେ ଅପରାଧୀଙ୍କୁ ଧରିବାରେ ପୋଲିସର ଅପାରଗତା ତ‌ଥା କାର୍ଯ୍ୟଦକ୍ଷତାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି। ତେବେ ଖୁବ ଶିଘ୍ର ସହରକୁ ସିସିଟିଭି ପରିସରଭୁକ୍ତ କରାଯିବ, ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଅପରାଧ ରୋକିବାରେ ସହାୟକ ହେବ ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧୁକାରୀ କହିଛନ୍ତି।

ପାରଳାଖେମୁଣ୍ଡି ଏକ ସୀମାବର୍ତ୍ତୀ ସହର ହୋଇଥିବା ବେଳେ ଏଠି ଅପରାଧ ଘଟାଇ ଆନ୍ଧ୍ରକୁ ଖସି ଯିବାରେ ମଧ୍ୟ ସକ୍ଷମ ହେଉଛନ୍ତି ଅପରାଧୀ ବଢୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପଡୋଶୀ ଆନ୍ଧ୍ର ପୋଲିସ ସହ ସମନ୍ବୟ ରଖୁବା ସହ ତଦନ୍ତରେ ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଦକ୍ଷତା ପ୍ରତିପାଦନ ପାଇଁ ପୋଲିସ ଅଧିକ ତତ୍ପର ହେବା ଏବଂ ଅପରାଧ ନିୟନ୍ତ୍ରଣ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିବା ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here