ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡ଼ିଶାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ଦ୍ୱିତୀୟ ଦିନ। ରାଉରକେଲା ପାନପୋଷ ଛକରେ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ। କହିଲେ, ଓଡ଼ିଶାରେ ବିଜେପି ଓ ବିଜେଡି ପାର୍ଟନରସିପ୍ ସରକାର ଚାଲିଛି। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି । ଓଡ଼ିଶାକୁ ୩୦ କୋଟିପତି ଲୁଟିବାକୁ ଆସିଛନ୍ତି। ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଅତ୍ୟାଚାର ହେଉଛି, ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ହୋଇଛି, ବେରୋଜଗାରୀ ବଢ଼ିଛି, ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡ଼ୁଛି। ’ ଓଡ଼ିଶା ଗସ୍ତ ଅବସରରେ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ।
ରାହୁଲ ଗାନ୍ଧି ଗତକାଲି ଝାଡ଼ଖଣ୍ଡରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଶେଷ କରି ଓଡ଼ିଶାର ବୀରମିତ୍ରପୁରରେ ପ୍ରବେଶ କରିଥିଲେ। ମାତ୍ର ଗତକାଲି ସେ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହି ନ ଥିଲେ। ଏହାପରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାମପାଲରୁ ରାହୁଲ ଗାନ୍ଧି ବାହାରି ସିଧାସଳଖ ଉଦିତନଗର ଛକକୁ ଯାଇଥିଲେ। ସେଠାରେ ସେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସେଠାରୁ ପାନପୋଷ ଛକକୁ ପଦଯାତ୍ରା କରିବା ସହିତ ସାଧାରଣ ସଭାରେ ଜନତାଙ୍କୁ ସମ୍ବୋଧନ କରିଥିଲେ।ଏହି ଅବସରରେ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ରାହୁଲ କହିଲେ, ଓଡ଼ିଶାରେ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ସରକାର ପାର୍ଟନରସିପ୍ରେ ଚାଲିଛି। ସେମାନେ ଏକସଙ୍ଗେ ଅଛନ୍ତି।ପାର୍ଲାମେଣ୍ଟରେ ଏହାର ଝଲକ ଦେଖିବାକୁ ମିଳୁଛି।
ମୋଦିଙ୍କ କହିବା ମୁତାବକ ବିଜେଡି ନେତା ଆମକୁ ହଇରାଣ କରିବାକୁ ପଛାନ୍ତି ନାହିଁ। ତେଣୁ ଓଡ଼ିଶାରେ ବିଜେପି ଓ ବିଜେଡି ସରକାର ପାର୍ଟନରସିପ୍ରେ ଚାଲିଛି।ତେବେ ଏ ନେଇ ବିଜେପି କି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।