ଆଉ ଯାତ୍ରା କରିବେନି ପୀୟୂଷ ତ୍ରିପାଠୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଟଙ୍କା ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍‌ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ତ୍ରିପାଠୀ । ଭୁବନେଶ୍ବରରେ ରୁଦ୍ଧଦ୍ବାର ବୈଠକରେ ହେଲା ଏହି ବିବାଦର ସମାଧାନ । ତେବେ ଏଥିରେ ନିରାଶ ହୋଇଛନ୍ତି ପୀୟୂଷଙ୍କ ଫ୍ୟାନ୍ ।

 

କିଛି ଦିନ ତଳେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ କଳି । ଚଳିତ ଯାତ୍ରା ସିଜିନରେ ବିବାଦ ଚରମ ସୀମାରେ ପହଞ୍ଚିବା ପରେ ଏହା ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଏମିତିକି କିଛି ଦିନ ତଳେ ବିବାଦ ପରେ ଜଣେ ହାସ୍ୟ ଅଭିନେତାଙ୍କୁ ଯାତ୍ରା ମାଲିକ ସଂଘ ତରଫରୁ ବ୍ୟାନ୍ କରାଯାଇଛି । ଅପରପକ୍ଷେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ଯାତ୍ରା ଜଗତର ଚର୍ଚ୍ଚିତ କଳାକାର ପୀୟୂଷ ତ୍ରିପାଠୀଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁକ୍ରବାର ଯବନିକା ପଡ଼ିଛି । ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟ ନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ଦେଖିବାକୁ ମିଳିଥିଲା ।

 

ମାଲିକଙ୍କ ସହ ଆଲୋଚନା କରି ପୀୟୂଷ ଟଙ୍କା ଫେରାଇବେ ନା କୌଣସି ଗୋଟିଏ ଯାତ୍ରା ପାର୍ଟିରେ ଯୋଗଦେଇ ଚଳିତ ସିଜିନରେ ଦର୍ଶକଙ୍କ ମନୋରଞ୍ଜନ କରିବେ ତାକୁ ନେଇ ସସ୍ପେନ୍ସ ଜାରି ରହିଥିଲା । କିନ୍ତୁ, ବୈଠକ ପରେ ଏହି ଚର୍ଚ୍ଚାରେ ଯବନିକା ପଡ଼ିଛି । ପୀୟୂଷ ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ଉତ୍ତର ଦେଇ ଟଙ୍କା ଫେରାଇଥିବା ନେଇ ସ୍ପଷ୍ଟ କରିଛନ୍ତି । ଏହି ଘଟଣାକୁ ନେଇ ପୀୟୂଷ କହିଛନ୍ତି, ‘ଛୋଟ କଥାରୁ ବିବାଦ ହେଲା, ଆଶା କରୁଛି ଏହାର ଅନ୍ତ ହୋଇଛି । ସମୟ ମତେ ବଦନାମ କରିଛି, ଟଙ୍କା ମାଧ୍ୟମ ସାଜିଲା । ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଯୋଗୁଁ ବର୍ଷେ ଯାତ୍ରା କରିବିନି । ବିଶ୍ରାମ ପରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ କରିବି । ଗାଡ଼ି ମୋ ପାଖରେ ରହିବ, EMI ମୁଁ ଦେବି ।’ ତେବେ ନରି ପଣ୍ଡା ଯଦି ଭୁଲ କରିଛନ୍ତି , ତେବେ ତାଙ୍କୁ କ୍ଷମା କରିଦେବା ପାଇଁ ଅନୁରୋଧ କରିଥିବା କଥା କହିଛନ୍ତି ପୀୟୂଷ ।

 

ସୂଚନା ପ୍ରକାରେ କିଛି ଦିନ ପୂର୍ବରୁ ପୀୟୂଷଙ୍କ ବାପା ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ଚିଠି ଲେଖି ୨ଟି ପାର୍ଟି ମାଲିକ ଅଗ୍ରୀମ ଟଙ୍କା ଫେରାଇ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପ୍ରଥମେ ଯାତ୍ରା ସିଂହବାହିନୀ ଅପେରା ମାଲିକ ପୀୟୂଷଙ୍କ ବିରୋଧରେ ଚୁକ୍ତି ଖିଲାପ ଅଭିଯୋଗ ଏବଂ ଉଭୟଙ୍କ ମଧ୍ୟରେ ବିବାଦର ମୀମାଂସା ପରେ, ପୁଣି ସେ ଚୁକ୍ତିବଦ୍ଧ ଥିବା ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ ବି ଆଣିଥିଲେ ଚୁକ୍ତି ଖିଲାପୀର ଗୁରୁତର ଅଭିଯୋଗ । ଯାହାକୁ ନେଇ ଚର୍ଚ୍ଚାରେ ରହିଥିଲେ ଜଲିଉଡ ହାଇପେଡ୍ ଆକ୍ଟର ପୀୟୂଷ ତ୍ରିପାଠୀ ଆଉ ଯେଉଁଥିରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଥିବା ସ୍ପଷ୍ଟ ହୋଉଛି l

LEAVE A REPLY

Please enter your comment!
Please enter your name here