ବିପ୍ଲବୀ ପରିକ୍ରମା ଡିଜିଟାଲ:- ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଅଧୀନରେ ଯୁକ୍ତ୨ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀ ଜୁନ୍ ୧ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ କମନ୍ ଆପ୍ଲିକେସନ୍ ଫର୍ମ (ସିଏଏଫ୍) ପୂରଣ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କିମ୍ବା ଯୁକ୍ତ୨ ମାର୍କ ଅପ୍ଲୋଡ୍ କରିପାରିବେ। ପ୍ରଥମ, ଦ୍ବିତୀୟ, ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ୍ ତାଲିକା ଓ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ, କ୍ଲାସ ସମ୍ପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି।
ଚଳିତ ଶିକ୍ଷାବର୍ଷରୁ ସ୍ନାତକ ନାମଲେଖା କ୍ଷେତ୍ରରେ ଏସ୍ଇବିସି ବର୍ଗଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ନାମଲେଖାପ୍ରକ୍ରିୟାରେ ଛାତ୍ରଛାତ୍ରୀ ବୈଧ ଏସ୍ଇବିସି ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ସେହିପରି ଏନ୍ସିଟିଇ ନିର୍ଦ୍ଦେଶ ମୁତାବକ ୪ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏବିଏଡ୍/ବିଏସ୍ସିବିଏଡ୍ ପାଠ୍ୟକ୍ରମ ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଅନୁମତି ମିଳିଛି। ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ସିଏଏଫ୍ ଦାଖଲ କରିଛନ୍ତି, ସେମାନେ ଅବଧି ମଧ୍ୟରେ ସିଏଏଫ୍ରେ ସଂଶୋଧନ କରିପାରିବେ। ଯେଉଁ ଆବେଦନକାରୀ ସିଏଏଫ୍ରେ ‘ଆପିଅରଡ୍’ ଅପସନ୍ ଦେଇଥିବେ ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଯୁକ୍ତ୨ କିମ୍ବା ସମତୁଲ ବୋର୍ଡର ମାର୍କ ଦାଖଲ କରିପାରିବେ। ସିଏଚ୍ଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ସିଏଚ୍ଏସ୍ଇ ଡାଟାବେସ୍ରୁ ସିଧାସଳଖ ମାର୍କ ଉପଲବ୍ଧ ହେବ। ଆବେଦନକାରୀମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏକାଧିକ ଥର ସଂଶୋଧନ କରିପାରିବେ। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଆବେଦନ ସମୟରେ ପିଲାମାନେ ଗୋଟିଏ ମେଜର ସହ ଦୁଇଟି ମାଇନର୍, ଦୁଇଟି ମେଜର କିମ୍ବା ୩ଟି ମାଇନର୍ ପାଠ୍ୟକ୍ରମକୁ ଚୟନ କରିପାରିବେ।