କିଲୋ ୪୦ ଟଙ୍କାରୁ ଅଧିକରେ ବିକ୍ରି କରିପାରିବେନି ଆଳୁ : ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି । ଓଡ଼ିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ମନା କରିବା ପରେ ଉତ୍ତର ପ୍ରଦେଶରୁ ଆଳୁ ମଗାଇଛନ୍ତି ରାଜ୍ୟ ସରକାର । ତେବେ ଏଭଳି ସ୍ଥିତିରେ ଯେପରି କଳାବଜାରୀ ନବଢେ ସେନେଇ ସୋମବାର ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ପରିବା ହାଟରେ ଚଢ଼ାଉ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି । ୪ ନମ୍ବର ହାଟ, ଆଇଗଣିଆ ଆଳୁ ଗୋଦାମ ଓ ୧ ନମ୍ବର ହାଟରେ ଏହି ୩ଟି ଟିମ୍‌ ଜୋରଦାର ଚଢ଼ାଉ କରିଛନ୍ତି । ଆଳୁ କିଣାଦର ଠାରୁ ମାତ୍ର ୩ରୁ ୪ ଟଙ୍କା ଲାଭ ରଖି ଅର୍ଥାତ ୪୦ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି ନକରିବା ପାଇଁ ବ୍ୟବସାୟୀମାନଙ୍କୁ କୁହାଯାଇଛି । ସେହିପରି ଆଳୁ କିଣାର ବିଲ୍‌ ଦେଖାଇ ପାରିନଥିବା କିଛି ବ୍ୟବସାୟୀକୁ ନୋଟିସ ଜାରି କରିଛି ଯୋଗାଣ ବିଭାଗ । ସେପଟେ ବେପାରୀଙ୍କ କହିବା ଅନୁସାରେ, ଗୋଦାମରୁ ଅଧିକ ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ ।

 

ଏନେଇ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, “କେତେ ଆଳୁ ଆଣୁଛନ୍ତି ଓ ଯେଉଁ ଆଳୁ କିଣୁଛନ୍ତି ତାର ବିଲ୍‌ ଯଦି ବ୍ୟବସାୟୀମାନେ ଦେଖାଇ ପାରୁନାହାନ୍ତି, ସେମାନଙ୍କୁ ନୋଟିସ କରାଯାଉଛି । ଆଜି ୩ ଜଣଙ୍କୁ ନୋଟିସ୍‌ କରାଯାଇଛି । ବ୍ୟବସାୟୀମାନେ ଗୋଦାମରୁ ୩୫ ରୁ ୩୬ ଟଙ୍କାରେ ଆଳୁ କିଣୁଛନ୍ତି । କିଗ୍ରା ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ସେମାନଙ୍କୁ କୁହାଯାଇଛି । ସରକାରୀ ପ୍ରକ୍ରିୟା ଅନୁସାରେ ଆଳୁ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉଛି । ବର୍ତ୍ତମାନ ୩ଟି ଟିମ୍‌ ଭୁବନେଶ୍ବରରେ ଯାଞ୍ଚ କରୁଛନ୍ତି ।” ସେପଟେ ଗତକାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ ଯେ, ଯଦି କୌଣସି ବ୍ୟବସାୟୀ ଫାଇଦା ନେଇ ଅଧିକ ଦରରେ ଆଳୁ ବିକ୍ରି କରିବେ ତେବେ ବିଭାଗର ଏନଫୋର୍ସମେଣ୍ଟ ଟିମ୍ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବ ।

LEAVE A REPLY

Please enter your comment!
Please enter your name here