ପଦ୍ମ ଧରୁ ଧରୁ ପ୍ରଦୀପଙ୍କ ପାୱାର ସୋ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ବିଜେପିରେ ଯୋଗଦେବାର ଗୋଟିଏ ଦିନ ପରେ ଗଞ୍ଜାମରେ ଦମ୍‌ ଦେଖାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆଉ ତାଙ୍କ ହାତ ଧରି ବିଜେପିରେ ସାମିଲ ହୋଇଛନ୍ତି ଗଣ୍ଡା ଗଣ୍ଡା ବିଜେଡି ନେତା। ଆଗକୁ ବହୁ ନେତା ଦଳ ଛାଡ଼ିବେ ବୋଲି ଇଶାରା ଦେଇଛନ୍ତି ପ୍ରଦୀପ। ଯାହାକୁ ନେଇ ବିଜେଡି ଶିବିରରେ ଛନକା ପଶିଛି। ତେଣୁ ଚର୍ଚ୍ଚା ହେଉଛି ପ୍ରଦୀପ ବିଗାଡ଼ି ଦେବେ ବିଜେଡିର ସବୁ ଗଣିତ। ଗତକାଲି ଗଞ୍ଜାମଙ୍କୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଗସ୍ତ ଅବସରରେ ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଛନ୍ତି ପ୍ରଦୀପ। ରାଜନାଥଙ୍କ ସଭା ପୂର୍ବରୁ ଆମ୍ବପୁଆ କାଳୀ ମନ୍ଦିରଠାରୁ ବାହାରିଥିଲା ପ୍ରଦୀପଙ୍କ ବିଶାଳ ଶୋଭାଯାତ୍ରା। ବାଇକ ରାଲି ସହ ବିଶାଳ ପଟୁଆରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଦୀପ।

ଆଉ ପ୍ରଦୀପଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଥିଲେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ବିଜେଡି ନଗର ଉପସଭାପତି କେ ଅନିଲ କୁମାର, ବିଜେଡି ଜିଲ୍ଲା ମହିଳା ଉପସଭାନେତ୍ରୀ ମୀନତି ଦାସ, ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ, ଅଶୋକ ଶୁକ୍ଳା ପ୍ରମୁଖ ଙ୍କ ସହ ଶତାଧିକ ବିଜେଡି କର୍ମୀ ବି ଆଜି ବିଜେପିରେ ଯୋଗଦେଇଛନ୍ତି। ଅନ୍ୟ ପଟେ ରାଜନାଥଙ୍କ ଉପସ୍ଥିତିରେ ସମାନ ଡାଇଲଗ୍ ରିପିଟ କରିଛନ୍ତି ପ୍ରଦୀପ। କହିଛନ୍ତି ମିଶନ ହିଞ୍ଜିଳିରୁ ଆରମ୍ଭ ହେବ। ଓଡ଼ିଶାରେ ପରିବର୍ତ୍ତନ ହେବ।ପ୍ରଦୀପ ପଦ୍ମ ଧରି ପାୱାର ଶୋ କରିବା ପରେ ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ତେବେ ଦକ୍ଷିଣ ଓଡ଼ିଶାରେ କ’ଣ ରହିବ ପ୍ରଦୀପଙ୍କ ଭୂମିକା ? ଆଉ କ’ଣ ଫାଇଦା ପାଇବ ବିଜେପି? କୁହାଯାଉଛି ବିଜେଡି ଗଞ୍ଜାମ ଗଡ଼ରେ ଏବେ ଫାଟ ଜଳ ଜଳ। ସବୁଠୁ ମଜଭୁତ ଦିଗପହଣ୍ଡି ଆସନରେ ତ ପ୍ରବଳ ଅନ୍ତକନ୍ଦଳ। ଏଠି ଦିବଙ୍ଗତ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିଳ୍ପବ ପାତ୍ର ଆଉ ବହିଷ୍କୃତ ନେତା ବିପିନ ପ୍ରଧାନଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି। ନିକଟରେ ବିପିନଙ୍କ ଗୋଷ୍ଠୀ ବ୍ଲକ ଦଖଲ କରିଛନ୍ତି।

ସେହିପରି ଛତ୍ରପୁର,ଆସ୍କା,ପୋଲସରା,ବୁଗୁଡ଼ା ଏମତି ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସଙ୍ଗୀନ। ଯେହେତୁ ପ୍ରଦୀପ ଦୀର୍ଘ ଦିନ ଧରି ବିଜେଡିର ଗଞ୍ଜାମ ଦାୟିତ୍ୱରେ ଥିଲେ ତେଣୁ ନିଶ୍ଚିତ ଭାବେ ଫାଇଦା ବିଜେଡିକୁ ଯାଇପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ। ପ୍ରଦୀପଙ୍କ ସହ ଏକାଧିକ ବିଜେଡି ନେତା ସାମିଲ ହେବା ପରେ ଚର୍ଚ୍ଚା, ଆଗକୁ ବି ଗଞ୍ଜାମରେ ବହୁ ହେଭିୱେଟ ଦଳ ପରିବର୍ତ୍ତନ କରିପାରନ୍ତି। ତାଙ୍କ ସହ ଅନେକ ବିଜେଡି ନେତା ଟଚ୍‌ରେ ଥିବା ନେଇ ପ୍ରଦୀପ ମଧ୍ୟ ଇଶାରା ଦେଇଥିଲେ। ତେଣୁ ଯଦି କନ୍ଦଳ ନଥମେ ତାହେଲେ ପ୍ରଦୀପ ସମୀକରଣ ଶାସକ ଦଳ ପାଇଁ ଅଡୁଆ ହୋଇପାରେ।

LEAVE A REPLY

Please enter your comment!
Please enter your name here