ଅଲିଭ ରିଡଲେ କଇଁଚଙ୍କ ଆଗମନକୁ ନେଇ ପୂର୍ବ ପ୍ରସ୍ତୁତି

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବିରଳ ଅଲିଭ ରିଡଲେ କଇଁଚଙ୍କ ଆଗମନକୁ ନେଇ ବନ ବିଭାଗର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନୀ ଖୋଖର୍ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ ସ୍ୱାଇଁ ଯୋଗଦାନ କରିଥିଲେ। ଆଗାମୀ ଦିନରେ ଅଲିଭ ରିଡଲେ କଇଁଚ ମିଳନ ଓ ଗଣ ଅଣ୍ଡାଦାନ ପାଇଁ ଋଷିକୂଲ୍ୟା ମୂହାଣଙ୍କୁ ଆସିବେ ଏହାକୁ ନଜରରେ ରଖି ଏହାର ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଗ ଧାଡିର କର୍ମଚାରୀ ଏବଂ ସଂଗଠନ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷ ଏହି ମୁହାଣଙ୍କୁ ସର୍ବାଧିକ କଇଁଚ ଗଣ ଅଣ୍ଡାଦାନ ପାଇଁ ଆସିଥିବା ବେଳେ ଚଳିତ ଥର ମଧ୍ୟ ତାହାକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିନରେ ପ୍ରୟାଗୀ ଠାରୁ ଅନନ୍ତରାୟପୁର ପାଖାପାଖି ୫୨ କିଲୋ ମିଟର ସୁଦୀର୍ଘ ବେଳାବୂମୀରେ କଇଁଚ ମାନେ ଗଣ ଅଣ୍ଡାଦାନ କରିଥାନ୍ତି। ସେଥି ମଧ୍ୟରୁ ପୋଡମପେଟା ଠାରୁ ପୁରୁଣାବନ୍ଧ ଦୀର୍ଘ ୫ କିଲୋମିଟର ବେଳାଭୂମୀରେ ସବୁଠାରୁ ଅଧିକ କଇଁଚ ଗଣ ଅଣ୍ଡାଦାନ କରୁଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ସ୍ପୋରାଡିକ ଅଣ୍ଡାଦାନ କରିଥାନ୍ତି। ତେବେ ବନ ବିଭାଗ ପକ୍ଷରୁ ପୋଡମପେଟା ଠାରୁ ପୁରୁଣାବନ୍ଧ ମୋଟ ୫୦ ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ପ୍ରତି ଜୋନରେ ପାଞ୍ଚ ଜଣିଆ ଟିମ କଇଁଚ ଓ ତାହାର ଅଣ୍ଡାର ସୁରକ୍ଷା ପାଇଁ ନିୟୋଜିତ ହୋଇଥାନ୍ତି। ସେହିପରି ବିଗତ ବର୍ଷ ସମସ୍ତ ବିଭାଗର ସମ୍ମନ୍ୱୟ ଏବଂ ସହଯୋଗ କାରଣରୁ ସଫଳତାର ସହ ବନ ବିଭାଗ ଏହାକୁ ପରିଚାଳନା କରି ଗଣ ଅଣ୍ଡାଦାନ ରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲା । ସେହିପରି ଚଳିତ ଥର ମଧ୍ୟ ସମସ୍ତ ବିଭାଗ ସମାନ ସହଯୋଗ କରିବେ ବୋଲି ଆରସିସିଏଫ ଶ୍ରୀ ସ୍ୱାଇଁ କହିଥିଲେ। ଚଳିତ ବର୍ଷ ଗ୍ରୀନ ସାମୁଦ୍ରିକ କଇଁଛ ର ଆଗମନ ଓ ତାହାର ସ୍ଥିତି କୁ ବେଶ ଗୁରୁତ୍ଵ ଦିଆଯିବ। ସେହିପରି ବିଗତ ଦିନମାନଙ୍କରେ ଏହି ମୁହାଣରେ ଜଙ୍ଗଲି ଜୀବଯନ୍ତୁ ଅଣ୍ଡାକୁ ନଷ୍ଟ କରିବାର ଭୟ ରହିଥିବା ବେଳେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସବୁଠାରୁ ଅଧିକ ଗଣ ଅଣ୍ଡାଦାନ ହେଉଥିବା ଏକ କିଲୋମିଟରରେ ଜିଆଇ ତାରର ସୁରକ୍ଷା ବାଡ ନିର୍ମାଣ କରାଯିବ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ କହିଛନ୍ତି। ସେହିପରି ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ର ପରିଚାଳନା ମୁଖ୍ୟ ଅନିଲ ମହାପାତ୍ର, ଟାଟା ଏସ ଈ ଜେଡ ର ପରିଚାଳନା ମୁଖ୍ୟ ରକି ମାର୍ଟିନ, ଅତିରିକ୍ତ ବନ ସଂରକ୍ଷକ ପ୍ରଭାକର ନାୟକ, ତଟରକ୍ଷୀ ବାହିନିର କମାଣ୍ଡିଙ୍ଗ ଅଧିକାରୀ କମାଡେଣ୍ଟ ପ୍ରତିପ ମୋଦକ୍, ମତ୍ସ୍ୟ ବିଭାଗ ଅଧିକାରୀ ସୁବ୍ରତ ପଟ୍ଟନାୟକ, ପୋଲିସ ଅଧିକାରୀ, ଆଇଆରଇର କର୍ମଚାରୀ, ଦକ୍ଷିଣୀ ସଂସ୍ଥାନ, ମତ୍ସ୍ୟଜୀବୀ ସଂଘ, ସ୍ଥାନୀୟ ଗ୍ରାମବାସୀ, ଗୋପାଳପୁର ପୋର୍ଟର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବନପାଳ ବାବୁ ସେଠୀ, କିରାଣୀ ଦିଗାମ୍ବର ହୋତା ଓ ଅନ୍ୟାନ୍ୟ କର୍ମଚାରୀମାନେ ପରିଚାଳନା ରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here