ନିତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦେଶର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ କାମ କରିବା ଆବଶ୍ୟକ। ଉଭୟ ମିଳିତ ଭାବେ କାମ କଲେ ଦେଶରେ କୌଣସି ଲକ୍ଷ୍ୟ ହାସଲ ଅସମ୍ଭବ ନୁହେଁ। ଆମକୁ ବିକାଶର ବେଗକୁ ତ୍ବରାନ୍ବିତ କରିବାକୁ ପଡ଼ିବ। ଯଦି କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଟିମ୍‌ ଇଣ୍ଡିଆ ଭଳି କାମ କରିବେ ତା’ହେଲେ ସବୁ ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ ବୋଲି ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ନିତି ଆୟୋଗର ୧୦ମ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତବର୍ଷ ଗଭର୍ଣ୍ଣିଂ କାଉନସିଲ ବୈଠକର ବିଷୟବସ୍ତୁ ରହିଥିଲା ‘୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ’।

ପ୍ରଧାନମନ୍ତ୍ରୀ କହିଥିଲେ, ବିକଶିତ ଭାରତ ଗଠନ ଲକ୍ଷ୍ୟ ପ୍ରତ୍ୟେକ ଭାରତୀୟଙ୍କର ଆକାଂକ୍ଷା। ଯେତେବେଳେ ପ୍ରତ୍ୟେକ ରାଜ୍ୟ ବିକଶିତ ହେବ ସେତେବେଳେ ଭାରତ ବିକଶିତ ହେବ। ୧୪୦ କୋଟି ନାଗରିକଙ୍କର ଏହା ହିଁ ଅଭିଳାଷ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ରାଜ୍ୟଗୁଡ଼ିକରେ ପର୍ଯ୍ୟଟନର ବିକାଶ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟଗୁଡ଼ିକ ସେମାନଙ୍କ ରାଜ୍ୟରେ ଅତିକମ୍‌ରେ ଗୋଟିଏ ଅନ୍ତର୍ଜାତୀୟମାନର ପର୍ଯ୍ୟଟନ ସ୍ଥଳୀର ବିକାଶ କରିବାକୁ ଆହ୍ବାନ କରିଛନ୍ତି। ଏସବୁ ସ୍ଥାନ ପଡ଼ୋଶୀ ସହର କିମ୍ବା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବେ ବିକାଶରେ ସହାୟକ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି।

ଦେଶର ଶ୍ରମଶକ୍ତିରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ କରିଛନ୍ତି। ମହିଳାମାନେ ଯେଭଳି ଶ୍ରମଶକ୍ତିରେ ସାମିଲ ହୋଇପାରିବେ ସେଥିପାଇଁ ଆମକୁ ଅନୁକୂଳ ନୀତି ଏବଂ ଆଇନ ପ୍ରଣୟନ କରିବାକୁ ହେବ ବୋଲି ସେ କହିଛନ୍ତି। ଆମକୁ ଏଭଳି ଢଙ୍ଗରେ କାର୍ଯ୍ୟ କରିବାକୁ ହେବ ଯାହାଦ୍ବାରା ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଯେତେବେଳେ ସାଧାରଣ ଲୋକ ପରିବର୍ତ୍ତନକୁ ଅନୁଭବ କରିବେ ସେତେବେଳେ ସେହି ପରିବର୍ତ୍ତନ ମଜଭୁତ ହୋଇଥାଏ ଏବଂ ତାହା ଆନ୍ଦୋଳନରେ ପରିଣତ ହୋଇଥାଏ। ୧୪୦ କୋଟି ଲୋକଙ୍କ ଅଭିଳାଷ ପୂରଣ କରିବା ପାଇଁ ଗୋଟିଏ ଟିମ୍‌ ଭାବେ ଆମ ପାଖରେ ବିରାଟ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରେସନ୍‌ ‘ସିନ୍ଦୂର’ ପରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରମୁଖ ବୈଠକ ଥିଲା। ପହଲଗାମରେ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀ ଗୁଳିକରି ମାରିବା ପରେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହା ଜମ୍ମୁ କାଶ୍ମୀର ସମେତ ଦେଶର ଅନ୍ୟ ରାଜ୍ୟର ପର୍ଯ୍ୟଟନକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ରାଜ୍ୟ, ଗୋଟିଏ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥାନ ବିକାଶ ମନ୍ତବ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

LEAVE A REPLY

Please enter your comment!
Please enter your name here