ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆସନ୍ତା ୬ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ରାହୁଲ ସୁନ୍ଦରଗଡର ବୀରମିତ୍ରପରରେ ଆସି ପହଞ୍ଚିବେ। ୬ ତାରିଖ ଦିନ ବୀରମିତ୍ରପୁରରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବ । ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ୬ ତାରିଖ ସନ୍ଧ୍ୟାରେ ରାହୁଲ ଗାନ୍ଧି ବୀରମିତ୍ରପୁରରେ ପହଞ୍ଚିବେ। ସେହିଠାରେ ତାଙ୍କୁ ସ୍ୱାଗତ କରାଯିବ। ୩ଟି ସାଂଗଠନିକ ଜିଲ୍ଲାରେ ରାହୁଲଙ୍କର ନ୍ୟାୟ ଯାତ୍ରା କାର୍ଯ୍ୟକ୍ରମ ରହିଛି। ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ୭ ଓ ୮ରେ କାର୍ଯ୍ୟକ୍ରମ ରହିଛି। ରାଉରକେଲାରେ ରାହୁଲ ଗାନ୍ଧି ରୋଡ ଶୋ’ କରିବେ।ଏବେ କିଛି ଦିନ ରାହୁଲ ଗାନ୍ଧିଙ୍କ କାର୍ଯ୍ୟକ୍ରମ ଓଡ଼ିଶାରେ ଚାଲିବ। ପରେ ଏଆଇସିସିର ନେତାମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ନିଜର ‘ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା’ରେ ଓଡ଼ିଶାର ୪ଟି ଜିଲ୍ଲାରେ ପଦଯାତ୍ରା କରିବେ। କିଛି ଦିନ ତଳେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ନିଜର ଏକ୍ସ ହ୍ୟାଣ୍ଡେଲରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ- ରାହୁଲ ଗାନ୍ଧି ଝାଡ଼ଖଣ୍ଡର ଜାମସେଦପୁର ବାଟ ଦେଇ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ପ୍ରବେଶ କରିବେ । ସେ ଓଡ଼ିଶାର ୩୪୧ କିମି ରାସ୍ତାକୁ ଅତିକ୍ରମ କରିବେ । ଏଥିରେ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ରହିଛି । ରାହୁଲଙ୍କ ଓଡ଼ିଶା ଗସ୍ତ ଖବର ପରେ ଏବେ ଚଳଚଞ୍ଚଳ ହୋଇ ଉଠିଛି କଂଗ୍ରେସ କ୍ୟାମ୍ପ । ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡ଼ିବାକୁ ଲାଗିଛି ଦଳ। ଦୁଇ ଦିନ ତଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସି ଓଡ଼ିଶା ବଂଚାଅ ସମାବେଶରେ ଯୋଗ ଦେଇଥିଲେ।