ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସବୁ ସସ୍ପେନ୍ସ ଉପରୁ ହଟିଲା ପରଦା। ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସ ଆମେଥି ଓ ରାୟବରେଲି ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାଁ। ଏଥର ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି ।AICC ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିସହ ଆଜି ହିଁ ରାହୁଲ ଗାନ୍ଧି ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି।
ଏହାବାଦ ଆମେଥିରୁ କିଶୋରୀଲାଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ। ରାୟବରେଲି ଆସନରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଛେଦ ପଡ଼ିଛି। ଏଥର ବି ପ୍ରିୟଙ୍କା ସିଧାସଳଖ ମଇଦାନକୁ ନ ଓହ୍ଲାଇ ପ୍ରଚାରରେ ନିୟୋଜିତ ରହିବେ ବୋଲି ସ୍ପଷ୍ଟ ହୋଇଛି।ଉତ୍ତରପ୍ରଦେଶର ଏହି ଦୁଇଟି ଆସନ କଂଗ୍ରେସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ତାଙ୍କ ସ୍ଥାନରେ ଏଥର ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍କୃତି ଇରାନୀ ।
ଚଳିତ ଥର ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ ଚଳିତ ନିର୍ବାଚନରେ ଏହି ଆସନରେ ସ୍ମୃତିଙ୍କୁ ଟକ୍କର ଦେବେ କଂଗ୍ରେସର କିଶୋରୀ ଲାଲ ଶର୍ମା ।ଆମେଠି ଓ ରାଏବରେଲୀରେ ଆସନ୍ତା ୨୦ ତାରିଖରେ ଭୋଟିଂ ହେବ। ଦେଶର ୫ମ ପର୍ଯ୍ୟାୟ ଭୋଟିଂରେ ଲୋକମାନେ ଏଠାରେ ମତାଧିକାର ସାବ୍ୟସ୍ତ କରିବେ।