ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ); ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂ। ସେ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ସାଂଗଠନିକ କାର୍ଯ୍ୟରେ ମନୋନିବେଶ କରିବା ଲାଗି ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ଏହି ପଦବୀ ଏକ ସାମ୍ବିଧାନିକ ପଦବୀ ହୋଇଥିବାରୁ ସେ ଦଳୀୟ ବା ସାଂଗଠନିକ କାର୍ଯ୍ୟ କରିପାରୁ ନଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ତାଙ୍କୁ ଏଯାଏଁ ଦଳ କୌଣସି ସାଂଗଠନିକ କାର୍ଯ୍ୟରେ ନିଯୁକ୍ତି ଦେଇନାହାନ୍ତି। ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମୟରେ ସେ ଉପ-ବାଚସ୍ପତି ରହିବା ସହ ସ୍ୱଳ୍ପ ସମୟ ପାଇଁ ବାଚସ୍ପତି ଦାୟିତ୍ୱ ଗ୍ରହଣ କରିଥିଲେ । ଏହାସହ ବିକ୍ରମ କେଶରୀ ଆରୁଖଙ୍କ ସମୟରେ ମଧ୍ଯ ସେ ଉପ-ବାଚସ୍ପତି ରହିଥିଲେ। ୨୦୨୩ ମେ ମାସରେ ଶ୍ରୀ ଆରୁଖ ବାଚସ୍ପତି ପଦବୀରୁ ଇସ୍ତଫା ଦେବା ପରେ ଶ୍ରୀ ସିଂହ ବାଚସ୍ପତି ହେବେ ବୋଲି ଚର୍ଚ୍ଚା ହେଉଥିଲା। ଅନେକ ଦିନ ସେ ବାଚସ୍ପତି ଦାୟିତ୍ୱ ବି ତୁଲାଇଥିଲେ। ହେଲେ ବିଜେଡି଼ ଗତ ବିଧାନସଭା ଅଧିବେଶନ ପୂର୍ବରୁ ପ୍ରମିଳା ମଲ୍ଲ୍ଲିକଙ୍କୁ ବାଚସ୍ପତି ଭାବେ ମନୋନୀତ କରିଥିଲା। ଏବେ ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ରଜନୀକାନ୍ତ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୯ରୁ ଉପବାଚସ୍ପତି ଥିଲେ ରଜନୀକାନ୍ତ ସିଂ ଏବଂ ଅନୁଗୁଳରୁ ସେ ୪ଥର ବିଧାୟକ ହୋଇଛନ୍ତି । ୨୦୧୨ରୁ ୨୦୧୪ ଯାଏଁ ମଧ୍ୟ ସେ ଖଣି ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here