ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଅଯୋଧ୍ୟାରେ ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ଏହାର ୭ ଦିନ ଆଗରୁ କାର୍ଯ୍ୟକ୍ରମକୁ ଆରମ୍ଭ କରିଦିଆଯାଇଛି । ଆଜି ହେଉଛି ତାହାର ଦ୍ୱିତୀୟ ଦିବସ । ହୋମ ଯଜ୍ଞରେ କମ୍ପୂଛି ଅଯୋଧ୍ୟା ନଗରୀ । ଆଜି ଦ୍ୱିତୀୟ ଦିନରେ ରାମ ଲାଲା ମନ୍ଦିରରେ ପ୍ରବେଶ କରିବେ । ଏହା ପରେ ତାଙ୍କୁ ରାମ ଜନ୍ମଭୂମୀ ଭ୍ରମଣ କରାଯିବ ବୋଲି ସୂଚନା ରହିଛି । ଏହି ସମୟରେ ମନ୍ଦିରର ଗର୍ଭଗୃହକୁ ଶୁଦ୍ଧି କରଣ କରାଯିବ। ତେବେ ଏହି ସାତ ଦିନ ଯାକ ହୋମଯଜ୍ଞ ଜାରି ରହିବ । ଏନେଇ ବୈଦିକ ବିଦ୍ୱାନ ଆଚାର୍ଯ୍ୟ ଶ୍ରୀ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ଙ୍କ ଅନୁଯାୟୀ ଆଜି ୧୭ ଜାନୁଆରୀ ବୁଧବାର ଦିନ ଦ୍ୱିପ୍ରହରରେ ଜଳଯାତ୍ରା, ତୀର୍ଥ ପୂଜନ, ବ୍ରାହ୍ମଣ-ବଟୁକ-କୁମାରୀ-ସୁବାସିନୀ ପୂଜନ, କଳଶ ଯାତ୍ରା ଏବଂ ଭଗବାନ ଶ୍ରୀ ରାମଲାଲାଙ୍କ ମୂର୍ତ୍ତି ପରିସରରେ ଭ୍ରମଣ କରାଯିବ। ଗତକାଲି ୧୬ ଜାନୁଆରୀ ମଙ୍ଗଳବାର ସ୍ୱତନ୍ତ୍ର ପୂଜା ବିଧି ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ଦିନରେ ପ୍ରାୟଶ୍ଚିତ ଓ କର୍ମକୁଟୀ ପୂଜା କରାଯାଇଥିଲା। ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସମଗ୍ର ଦେଶବାସୀଙ୍କୁ ଆସନ୍ତା ୨୨ ତାରିଖରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ସାମୁହିକ ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି ପ୍ରଭୁ ଶ୍ରୀ ରାମ ନିଜର ଜନ୍ମସ୍ଥଳୀକୁ ୫ ଶତାବ୍ଦୀ ପରେ ଫେରୁଛନ୍ତି । ଏହି ଭବ୍ୟ ଅବସରକୁ ସ୍ମୃତିପଟରେ ସାଇତି ରଖିବାକୁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ଉତ୍ସାହର ସହିତ ଅପେକ୍ଷା କରିଛି । ପ୍ରଭୁ ଶ୍ରୀ ରାମଙ୍କର ସ୍ୱାଗତ ପାଇଁ ସମଗ୍ର ବିଶ୍ୱରେ ରାମଭକ୍ତମାନେ ଅପେକ୍ଷା କରିଛନ୍ତି । ଏହି ସମୟରେ ଛୋଟ ଛୋଟ ଭିଡ଼ିଓ ମାଧ୍ୟମରେ ନିଜର ଅନୁଭୂତିକୁ ସେୟାର କରିବାକୁ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ଏହା ଭିଡ଼ିଓରେ ଲେଖି ସୋସିଆଲ ମିଡ଼ିଆରେ ସେୟାର କରିବାକୁ କୁହାଯାଇଛି।
ଟ୍ରଷ୍ଟ ପକ୍ଷରୁ ଆହୁରି ମଧ୍ୟ ସୂଚନା ପ୍ରଦାନ କରାଯାଇଛି କି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଯମାନ ହେବେ ନାହିଁ । ପ୍ରଧାନମନ୍ତ୍ରୀ କେବଳ ଗର୍ଭଗୃହରେ ମୂର୍ତ୍ତି ପ୍ରତିଷ୍ଠା କରିବେ । ଅନୁଷ୍ଠାନ, ହୋମଯଜ୍ଞ ଓ ପୂଜାକାର୍ଯ୍ୟରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡ. ଅନୀଲ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଯଜମାନ ଭାବେ ବସି କାର୍ଯ୍ୟ ତୁଲାଇବେ ବୋଲି ସୂଚନା ରହିଛି।