ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ରାମୋଜୀ ରାଓ

0
Oplus_131072

ହାଇଦ୍ରାବାଦ ( ବିପ୍ଲବୀ ପରିକ୍ରମା ):- ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୪ଟା ୫୦ ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ଗଣମାଧ୍ୟମ, ସିନେମା, ସାହିତ୍ୟ, ଚାଷ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ବର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଫିଲ୍ମସିଟିରେ ବହୁ ଶୁଭେଚ୍ଛୁ, ସମର୍ଥକ ଓ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଶେଷ ଦର୍ଶନ କରିବାକୁ ପହଞ୍ଚୁଛନ୍ତି । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଏକଧାରାରେ ସେ ଜଣେ ଶିଳ୍ପପତି, ସିନେ ପ୍ରଯୋଜକ, ମିଡିଆ ଏଣ୍ଟରପ୍ରିନିୟର, ଲେଖକ ଓ ସ୍ତମ୍ଭକାର ଭାବେ ତାଙ୍କର ବଳିଷ୍ଠ ପରିଚୟ ଥିଲା । ହାଇଦ୍ରାବାଦରେ ସେ ‘ରାମୋଜୀ ଫିଲ୍ମ ସିଟି’ ପ୍ରତିଷ୍ଠା କରିଥିଲେ, ଯାହା ବିଶ୍ବର ସର୍ବବୃହତ୍ତ ସିନେହବ୍ ଭାବେ ପରିଚୟ ପାଇଛି । ତାଙ୍କର ପ୍ରଯୋଜନା ସଂସ୍ଥା ‘ଉଷା କିରଣ ମୁଭି’ ବିଭିନ୍ନ ଭାଷାରେ ହଜାରରୁ ଅଧିକ ଚଳଚିତ୍ର ଭେଟି ଦେଇଛି । ବହୁଭାଷୀ ଗଣମାଧ୍ୟମ ସଂସ୍ଥା ‘ଇଟିଭି’ ଓ ‘ଇନାଡୁ’ ସମ୍ବାଦପତ୍ର ମଧ୍ୟ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା । ଦୂରଦର୍ଶନ ପରେ ସାରା ଦେଶରେ ମନୋରଞ୍ଜନ ଓ ଖବର ସିଧାପ୍ରସାରଣ କ୍ଷେତ୍ରରେ ଅସମ୍ଭବ ଲୋକପ୍ରିୟତା ସାଉଁଟିଥିଲା ‘ଇଟିଭି’ ।

ଆଞ୍ଚଳିକ ଓ ଦେଶର ଜାତୀୟ ସେନା ଶିଳ୍ପକୁ ଅତୂଳନୀୟ ଅବଦାନ ଦେଇଥିବା ରାମୋଜୀ ରାଓ ୪ଫିଲ୍ମ ଫେୟାର ଆଓ୍ବାର୍ଡ (ଦକ୍ଷିଣ ଭାରତୀୟ ସିନେମା), ତେଲଗୁ ସିନେମା ପାଇଁ ଜାତୀୟ ଫିଲ୍ମ ଫେୟାର ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତୀୟ ସାହିତ୍ୟ, ସମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ ପାଇଁ ବର୍ଷ ୨୦୧୬ ରେ ତାଙ୍କୁ ସମ୍ମାନଜନକ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାମୋଜୀ ରାଓଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରିଥିଲେ । ରାଓଙ୍କ ଦେହାନ୍ତରେ ଦକ୍ଷିଣ ଭାରତ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପ୍ରାର୍ଥୀବ ଶରୀର ରାମୋଜୀ ଫିଲ୍ମ ସିଟିର ମୁଖ୍ୟାଳୟକୁ ଅଣାଯିବା ପରେ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ । ରାଓଙ୍କ ଦେହାନ୍ତ ଭାରତୀୟ ସିନେମା, ଗଣମାଧ୍ୟମ ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ଅପୂରଣନୀୟ କ୍ଷତି ହୋଇଛି l

LEAVE A REPLY

Please enter your comment!
Please enter your name here