(ବିପ୍ଲବୀ ପରିକ୍ରମା ବ୍ୟୁରୋ);ଆରମ୍ଭ ହୋଇଛି ମହାକାର୍ତ୍ତିକ । ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ସକାଳୁ ରାତି ପର୍ଯ୍ୟନ୍ତ ବଡଦାଣ୍ଡରୁ ଆରମ୍ଭ କରି ଶ୍ରୀମନ୍ଦିର ଭକ୍ତଙ୍କ ବେଶ ଗହଳି ଦେଖିବାକୁ ମିଳୁଛି । କାର୍ତ୍ତିକ ବ୍ରତ କରିଥିବା ହବୀଶ୍ୟାଳି ମାନେ ସକାଳୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଧର୍ମମାସରେ ଅବଢା ଟିକିଏ ପାଇବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସୁଛନ୍ତି ଭକ୍ତ । କିନ୍ତୁ ଭକ୍ତଙ୍କ ଗହଳିକୁ ଦେଖି ସେପଟେ ଉପରମୁହାଁ ହେଉଛି ଅବଢା ଦର । ଅବଢା ଦର ବଢି ୩୦୦ ଟଙ୍କାରେ ପହଞ୍ଚିଲାଣି । ଅନ୍ୟପଟେ ଏତେ ଚଢା ଦରରେ ଅବଢା ବିକ୍ରି ହେଉଥିବାରୁ ଚିନ୍ତାରେ ପଡିଲେଣି ଭକ୍ତ ।ଯାହାକୁ ନେଇ ଅସନ୍ତୁଷ୍ଟ ଶ୍ରଦ୍ଧାଳୁ ।ଯେଉଁ ଅବଢ଼ା ୧୦୦ଟଙ୍କାରେ ମିଳୁଥିଲା ତାହା ଏବେ ୩୦୦ ଟଙ୍କା । କୁହାଯାଉଛି କି ଅଣସୁପକାର ପ୍ରବେଶ କରି ଚଢା ଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି। ଗତ ସେପଟେମ୍ବର ୧୩ ତାରିଖ ବୈଠକରେ ଅଣସୁପକାର ପ୍ରବେଶ ବନ୍ଦ ପାଇଁ ଆନନ୍ଦ ବଜାର ଶୃଙ୍ଖଳା କମିଟି ଗଠନ ହୋଇଥିଲେ ବି ଏମାନେ ପଶି ପୁଣି ଦଲାଲି କରୁଥିବା ଅଭିଯୋଗ ହୋଇଛି । ସେପଟେ ଅଧିକ ମହାପ୍ରସାଦ ବରାଦ ରହୁଥିବାରୁ ଦର ଟିକେ ଉଚ୍ଚା ରହୁଛି ବୋଲି ସ୍ବୀକାର କରିଛି ସୁଆର ମହାସୁଆର ନିଯୋଗ । ତେବେ ମହାପ୍ରସାଦର ଦର ତାଲିକା ନିର୍ଦ୍ଧାରଣ ଓ କୁତ୍ରିମ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଲଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଛନ୍ତି ଜଗନ୍ନାଥପ୍ରେମୀ।କାର୍ତ୍ତିକ ପାଇଁ ଶ୍ରୀମନ୍ଦିରରେ ଏବେ ପ୍ରତେକ ଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି । ହବିଷ୍ୟାଳିଙ୍କ ସହ ଏମାନେ ବି ମହାପ୍ରସାଦ ସେବନ ଆଶାରେ ରହୁଛନ୍ତି । ହେଲେ ଏଭଳି ଦରବୃଦ୍ଧି ହେଲେ ଭକ୍ତଟିଏ କିଭଳି ଭକ୍ତ ମହାପ୍ରସାଦ ପାଇବ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।