ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ କିଛି ଦିନ ହେବ ଆଳୁ ଦର ଆକାଶ ଛୁଆଁ ରହିଥିବାବେଳେ ବର୍ତ୍ତମାନ ଏଥିରେ ଲଗାମ ଲାଗିଛି । ବଜାରରେ ଆଳୁ ଦର ୩୦ ଟଙ୍କା ରହିଥିବାବେଳେ ଆଗକୁ ଏହି ଦର ଆହୁରି କମିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ଆଳୁ ଦର କମିବାକୁଥିବାବେଳେ ଯେଉଁମାନେ କଳାବଜାରୀ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ପିଆଜ ଦରବୃଦ୍ଧିକୁ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି,” ରାଜ୍ୟରେ ପିଆଜ ଦର ବୃଦ୍ଧି ହୋଇଛି । ତା’ ପାଇଁ ଆମେ ବ୍ୟବସ୍ଥା କରୁଛୁ । ବାହାରୁ ପିଆଜ ଆଣି ଲୋକମାନଙ୍କୁ ଦେବୁ । ନାସିକରୁ ପିଆଜ ଆସିବ । ଆମ ରାଜ୍ଯରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଏବଂ ପିଆଜ ହୋଇପାରିବ । ପୂର୍ବ ସରକାର ୨୪ ବର୍ଷରେ କିଛି ଏହା ଉପରେ କରିପାରିଲେ ନାହିଁ। ଆମ ସରକାରରେ କୃଷି ମନ୍ତ୍ରୀ ଦାୟିତ୍ବ ନେଇଛନ୍ତି । ସେ ଦିଗରେ ସେ କାମ କରୁଛନ୍ତି ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଏବେ ବଜାରରେ ଆଳୁ ଦର ୩୦ ଟଙ୍କା ଅଛି ଆହୁରି କମିବ। କଳାବଜାରୀ ପାଇଁ ଏନଫୋର୍ସମେଣ୍ଟ ଟିମ୍ କାମ କରୁଛନ୍ତି । ଯେଉଁମାନେ କଳାବଜାରୀ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଣ ବିଭାଗ ତରଫରୁ ଆଳୁ ଯୋଗାଇ ଦିଆଯାଇଛି । ଆଳୁ କେଉଁଠାରୁ ଆସୁଛି ପ୍ରଶ୍ନର ଉତ୍ତର ରଖି ଯୋଗାଣ ମନ୍ତ୍ରୀ କହିଛନ୍ତି, ” ଆଳୁ କାହାଠୁ ଆଣିବୁ ସେମିତି କିଛି ନାହିଁ । ଆମର କାହା ସହ ଶତ୍ରୁତା ନାହିଁ । ଯିଏ ଆମକୁ ଭଲ ରେଟରେ ଆଳୁ ଯୋଗାଇଲା ଆମେ ସେମାନଙ୍କଠାରୁ ଆଣିବୁ ।