ପୁରୀ ( ବିପ୍ଲବୀ ପରିକ୍ରମା ):- ଗଳି ପଡ଼ିଥିଲେ ବଡ଼ ଠାକୁର, ପ୍ରାୟଶ୍ଚିତ କରିବେ ସରକାର । ଆଡ଼ପ ପହଣ୍ଡି ମହାବିଭ୍ରାଟର ହେବ ପ୍ରତିକାର ପୂଜା । ଅଘଟଣର ଦେଢ଼ମାସ ପରେ ଏଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କହିଛନ୍ତି ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ପାଇଁ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ସହ କଥାବାର୍ତ୍ତା ସରିଛି । ଏଥିପାଇଁ ସମୟ ନିର୍ଘଣ୍ଟ କରାଯିବା ପରେ ପୂଜା ହେବ। ତେବେ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ।ନୀଳାଦ୍ରି ମହୋଦୟରେ ଲିଖିତ ଉକ୍ତିକୁ ଉଦ୍ଧାର କରି ଏଭଳି ଅଘଟଣ ପାଇଁ ରାଜ୍ୟରେ ଦୁର୍ଭିକ୍ଷ, ଅନାବୃଷ୍ଟି ହେବା ସହ ରାଷ୍ଟ୍ର ମୁଖ୍ୟଙ୍କର ଅମଙ୍ଗଳ ଘଟିବ ଦର୍ଶାଇ ଏହାର ପ୍ରତିକାର ପାଇଁ ମୂଳ ମନ୍ତ୍ରରେ ଏକ ଲକ୍ଷ ପଚିଶି ହଜାର ଜପ କରିବା, ଜପର ଦଶାଂଶ ବିଧିରେ ହୋମ, ତର୍ପଣ, ମାର୍ଜନ, ସଦକ୍ଷିଣ ବ୍ରାହ୍ମଣ ଭୋଜନ କରାଇ ଆସନ୍ନ ବିପଦରୁ ରକ୍ଷା କରିବାକୁ ସେତେବେଳେ ପରାମର୍ଶ ଦିଆଯାଇଥିଲା।ଏବେ ଅଘଟଣର ଦେଢ଼ମାସ ପରେ ଆଡ଼ପ ପହଣ୍ଡି ଅଘଟଣର ପ୍ରତିକାର ପୂଜା ହେବା ନେଇ ଆଜି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ଏ ବିଭ୍ରାଟ, ଅବହେଳା ପାଇଁ ଦାୟୀ କିଏ ? ୟା ଭିତରେ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ତିନି ଜଣିଆ ତଦନ୍ତ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲେ ବି ରିପୋର୍ଟକୁ ଅସଂପୂର୍ଣ୍ଣ ଦର୍ଶାଇ ପୁଣି ଥରେ ତଦନ୍ତ କରି ତଥ୍ୟ ଦେବାକୁ କମିଟିକୁ କୁହାଯାଇଛି।