ବ୍ଲକ୍ ସ୍ତରୀୟ ସୁରଭି ଉତ୍ସବରେ ସମ୍ମାନିତ ହେଲେ ଅବସର ପ୍ରାପ୍ତ ଶିକ୍ଷକ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅଧିନସ୍ଥ କେ.ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଅବସରରେ ରା. ଉଦୟଗିରି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ମଣ୍ଡଳ ଙ୍କର ଅନୁମୋଦନ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା ଓ ଶ୍ରୀଯୁକ୍ତ ଶ୍ରୀନିବାସ ବେହେରଦଳାଇ ଙ୍କର ତତ୍ତ୍ୱାବଧାନକ୍ରମେ ଉକ୍ତ କାର୍ଯକ୍ରମଟି ସଫଲତାର ସହିତ ସମାପନ ହୋଇଥିଲା। ଆୟୋଜିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲା ବେଳେ ରା. ଉଦୟଗିରି ବ୍ଲକର ବି. ଡି. ଓ. ଶ୍ରୀଯୁକ୍ତ ଲରିମନ୍ ଖର୍ଶଲ୍ ମୁଖ୍ୟ ଅତିଥିଭାବେ ଓ ବ୍ଲକ ଚେୟାରମେନ୍ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଶବର ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ଶିଶୁ ହସିଲେ ଦୁନିଆ ହସେ । ଆଜିର ଶିଶୁ କାଲିର ଭବିଷ୍ୟତ। ଉକ୍ତ ବିଷୟରେ ଅତିଥିମାନେ ଭାଷଣ ପ୍ରଦାନ କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବରେ ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ପରି ପ୍ରକାଶ ପାଇଁ ସେମାନଙ୍କ ମଧ୍ୟରେ ଭାଷଣ, ସାଧାରଣ ଜ୍ଞାନ, ସଂଗୀତ, ପ୍ରବନ୍ଧ ଲିଖନ, ଚିତ୍ର, ନାଚ ଏବଂ ପୋଷଣଆଦି ପ୍ରତିଯୋଗିତାମାନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ କେ. ଏମ୍. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଚାରି ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ସଫଳତାର ସହିତ ଜିଲ୍ଲା ସ୍ତରୀୟ ସୁରଭିକୁ ମନୋନୀତ ହୋଇ ବିଦ୍ୟାଳୟର ଗୌରବକୁ ବୃଦ୍ଧି କରିଛନ୍ତି। କନିଷ୍ଠ ବିଭାଗର ଛାତ୍ରୀ ମାମୁନି ରଇତ ଚିତ୍ରରେ ପ୍ରଥମ ସ୍ଥାନ, ପୋଷଣ କଳାରେ ଶିବାନୀ ରଇତ ପ୍ରଥମ ସ୍ଥାନ, ପୋଷଣ ଚିତ୍ରରେ ଭେଙ୍କଟେଶ୍ୱର ନାୟକ ପ୍ରଥମ ସ୍ଥାନ, ଭାଷଣରେ ଶୁଭସ୍ମିତା କାର୍ଯୀ ପ୍ରଥମ ସ୍ଥାନଏବଂ ବରିଷ୍ଠ ବିଭାଗର ଛାତ୍ରୀ ଗୌତମୀ ଭୂୟାଁ ପ୍ରବନ୍ଧ ଲିଖନରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଉତ୍ସବରେ ପୂର୍ବରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା, ଶ୍ରୀଯୁକ୍ତ ଗୋବିନ୍ଦ ମହଙ୍କୁଡ ଏବଂ ଶ୍ରୀଯୁକ୍ତ ବୃନ୍ଦାବନ ଦଳାଇଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା। ଉକ୍ତ ଉତ୍ସବରେ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ଏବଂ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିଥିଲାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here