ବିପ୍ଲବୀ ପରିକ୍ରମା ଡିଜିଟାଲ :- ବିବାହ ଋତୁ ଚାଲିଥିବା ବେଳେ ସୁନା ଦରରେ ଅହେତୁକ ବୃଦ୍ଧି ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ୍ ଉପରେ ଶୁଳ୍କ ଲଗାଇବା ପରଠାରୁ ସୁନା ଦରରେ ଯେଭଳି ନିଆଁ ଲାଗିଛି। ବୁଧବାର ଭୁବନେଶ୍ବରରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୪୦ ଟଙ୍କା ବୃଦ୍ଧି ପାଇ ୮୬,୨୪୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍ ସୁନା ଦାମ୍ ୯୫୦ ଟଙ୍କା ବଢ଼ି ୭୯,୦୫୦ ଟଙ୍କା ହୋଇଛି। ଭୁବନେଶ୍ବରରେ ଗତ ୧୦ ଦିନରେ ୨୨ କ୍ୟାରେଟ୍ ସୁନା ୩୬୫୦ ଟଙ୍କା ମହଙ୍ଗା ହୋଇଛି। ଜାନୁଆରି ୨୭ରେ ଏହାର ଦାମ୍ ୭୫,୪୦୦ ଟଙ୍କା ଥିଲା। ସେହିପରି ଏହି ସମୟ ଭିତରେ ୨୪ କ୍ୟାରେଟ୍ ସୁନା ୩୩୯୦ ଟଙ୍କା ବୃଦ୍ଧି ପାଇଛି। ସୁନା ଭଳି ଅନ୍ୟତମ ମୂଲ୍ୟବାନ ଧାତବ ପଦାର୍ଥ ରୁପା ମଧ୍ୟ ମହଙ୍ଗା ହେବାରେ ଲାଗିଛି। ବୁଧବାର ଭୁବନେଶ୍ବରରେ ରୁପା କେଜି ୧୦୦୦ ଟଙ୍କା ମହଙ୍ଗା ହୋଇ ୧,୦୭,୦୦୦ ଟଙ୍କା ହୋଇଯାଇଛି। ଗତ ୧୦ ଦିନରେ ରୁପା ଦାମ୍ ୩ହଜାର ଟଙ୍କା ବଢ଼ିଛି। କିଛି ଦିନ ପୂର୍ବେ ଲାଲଚନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ ସୁନାକୁ ନେଇ ଏକ ବଡ଼ ପୂର୍ବାନୁମାନ କରିଥିଲେ। ସୁନା ଦର ଲକ୍ଷେ ଟଙ୍କା ଟପିପାରେ ବୋଲି ସେ କହିଥିଲେ। ବଜେଟ୍ରେ ସୀମା ଶୁଳ୍କ ଅପରିବର୍ତ୍ତିତ ରହିଲେ ଆସନ୍ତା ୬ ମାସରେ ସୁନା ଲକ୍ଷେ ଟଙ୍କାରୁ ଅଧିକ ହୋଇଯିବ ବୋଲି ସେ କହିଥିଲେ।