ଭୁବନେଶ୍ବର (ବିପ୍ଲବୀ ପରିକ୍ରମା ):- ‘ରାଜନୀତିରେ ସବୁଠାରୁ ଖରାପ ଜିନିଷ କଣ ?’ ଏଭଳି ପ୍ରଶ୍ନର ଭିନ୍ନ ଭିନ୍ନ ଉତ୍ତର ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କଠାରୁ ମିଳିବ । ଏହି ସମାନ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “ଗୁଜବ ଓ ମିଛ କଥା ରାଜନୀତିରେ ସବୁଠାରୁ ଖରାପ ଜିନିଷ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୫T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । କମ କହୁଥିବା ନବୀନଙ୍କ ଏହି ଦୁଇ ପଦ କଥା ସାମ୍ପ୍ରତିକ ସମୟରେ ବେଶ ଗୁରୁତ୍ୱ ବହନ କରୁଛି । ବର୍ତ୍ତମାନର ରାଜନୈତିକ ମାହୋଲରେ ମୁଖ୍ୟମନ୍ତ୍ରୀଙ୍କର ଏହି ବାର୍ତ୍ତା ବେଶ ପ୍ରାସଙ୍ଗିକତା ବହନ କରୁଛି । କାହିଁକିନା ରାଜ୍ୟରେ ବିଜେଡି-ବିଜେପି ମେଣ୍ଟକୁ ନେଇ ଗତକିଛି ଦିନ ହେବ ଚର୍ଚ୍ଚା, ଆଲୋଚନା ଓ ପର୍ଯ୍ୟାଲୋଚନା ଜାରି ରହିଛି ।
ଖୁବଶୀଘ୍ର ଉଭୟ ଦଳ ମଧ୍ୟରେ ମେଣ୍ଟ ହେବ ବୋଲି କୁହାଯାଉଛି । ଏହାକୁ କେହି ସତ ମାନୁଥିବାବେଳେ ଆଉ କିଛି ଏହାକୁ ଗୁଜବ ବୋଲି କହୁଛନ୍ତି । ଯଦି ଏହା ଗୁଜବ ତେବେ ଏହି ଗୁଜବ ସୃଷ୍ଟି କରୁଥିବା ନେତାଙ୍କୁ ଏହା ନବୀନଙ୍କ କଡା ଜବାବ ବୋଲି ଆଲୋଚନା ହେଉଛି । କାରଣ ବର୍ତ୍ତମାନ ସମୟରେ ମେଣ୍ଟକୁ ନେଇ ବିଭିନ୍ନ କଥା ପ୍ରଘଟ ହେଉଛି । ଉଭୟ ଦଳ ମଧ୍ୟରେ ସିଟ ଭାଗବଣ୍ଟା କଥା ମଧ୍ୟ କୁହାଯାଉଛି । ଯଦି ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତା ପରୋକ୍ଷରେ ମେଣ୍ଟ ଚର୍ଚ୍ଚା ପାଇଁ ହୋଇଥାଏ ବୋଲି କେହି କେହି କହୁଛନ୍ତି।