ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣାରେ ପୋଲିସକୁ ବଡ ସଫଳତା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ । ରବିବାର ହିରାନାନ୍ଦାନୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ବିଜୟ ଦାସ ରେସ୍ତୋଁରାରେ ଓ୍ବେଟର ଭାବେ କାର୍ଯ୍ୟ କରେ ।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରଥମେ ନିଜକୁ ବିଜୟ ଦାସ କହିଥିବା ବେଳେ ପରବର୍ତ୍ତୀ ସମୟରେ ମହମ୍ମଦ ସଜ୍ଜାଦ ବୋଲି କହିଛି । ଅଭିଯୁକ୍ତର ପରିଚୟ ନେଇ ଯାଞ୍ଚ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି । ତେବେ ଏହାକୁ ନେଇ ପୋଲିସ ସକାଳ ୯ଟାରେ ପ୍ରେସ କନଫରେନ୍ସ ଜରିଆରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବ ।ପୋଲିସ ମୋବାଇଲ ଲୋକେସନରୁ ଅଭିଯୁକ୍ତକୁ ଟ୍ରାକ କରି ଧରିବାରେ ସଫଳ ହୋଇଥିଲା ।ମୁମ୍ବାଇର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହମ୍ମଦ ସଜ୍ଜାଦ ଓରଫ ବିଜୟ ଦାସର ମୋବାଇଲ ଲୋକେସନ ବଡବଲି ପୋଲିସ ଷ୍ଟେସନ ଅଞ୍ଚଳରେ ମିଳିଥିଲା ।ପୋଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରି ତାକୁ ଗିରଫ କରିଛି ।
ସୂଚନା ପ୍ରକାରେ ଜାନୁଆରୀ ୧୬ ତାରିଖରେ ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ଘର ଭିତରେ ଛୁରାମାଡ ହୋଇଥିଲା । ଏହାପରେ ତାଙ୍କୁ ମୁମ୍ୱାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୈଫଙ୍କ ମେରୁଦଣ୍ଡରେ ଛୁରୀ ପଶିଯିବାରୁ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ମେରୁଦଣ୍ଡ ପାଖରୁ ୨.୫ ଇଞ୍ଚ ଲମ୍ବା ବ୍ଲେଡ୍ ବାହାର କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି । ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ ପରେ ପୋଲିସ ତାଙ୍କ ଘରର ଏକ ସିସିଟିଭି ଫୁଟେଜ ପାଇଥିଲା । ଯେଉଁଥିରେ ସନ୍ଦିଗ୍ଧର ଫଟୋ ଦେଖିବାକୁ ମିଳିଥିଲା । ସିସିଟିଭିରେ ଅଭିଯୁକ୍ତର ଫଟୋ ଦେଖିବା ପରେ ଖୋଜା ଆରମ୍ଭ କରିଥିଲା ।