ମାଲକାନଗିରି( ବିପ୍ଲବୀ ପରିକ୍ରମା ):- ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଛାଡିବା ପ୍ରକ୍ରିୟା ଜାରି ରହିଛି । ପୁଣି ଆଉ ଜଣେ ପୂର୍ବତନ ବିଧାୟକ ଛାଡିଛନ୍ତି ବିଜେଡି ଦଳ । ଆଜି ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁ ଶୀଶା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ଦଳ ସହ ସେ ନିଜର 16 ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି । ନିଜର ଇସ୍ତଫା ପତ୍ର ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ସୂଚନାଯୋଗ୍ୟ ଯେ ଡମ୍ବରୁ ବିଜେଡି ଟିକେଟରେ 2014 ରୁ 2019 ପର୍ଯ୍ୟନ୍ତ ବିଧାୟକ ଥିଲେ ଓ ସେ ଓଡ଼ିଶାର ଆଦିମ ବଣ୍ଡା ଜନଜାତି ଙ୍କ ବଂଶଧର ଭାବରେ ଚିତ୍ରକୋଣ୍ଡା ସରଂକ୍ଷିତ ଆସନ ରୁ ବିଜେଡି ଦଳ ତରଫରୁ ଟିକେଟ ପାଇ ଜିତିଥିଲେ।
ତେବେ 2019 ରେ ଦଳ ଆଉ ତାଙ୍କ ଉପରେ ଭରସା କରିନଥିଲା ଓ ଦଳ ତାଙ୍କୁ ଟିକେଟ ମଧ୍ୟ ଦେଇନଥିଲା । ତାଙ୍କ ବଦଳରେ ଦଳ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କୁ ଭରସା କରି ଟିକେଟ ଦେଇଥିଲା । ସେହିପରି ଚଳିତ ନିର୍ବାଚନ ପାଇଁ ବିଜେଡିରୁ ଡମ୍ବରୁ ଟିକେଟ ପାଇବା ସମ୍ଭାବନା କ୍ଷୀଣ ଥିବାରୁ ସେ ଦଳ ଛାଡିଛନ୍ତି । ଇସ୍ତଫା ପତ୍ରରେ ଡମ୍ବରୁ ଲେଖିଛନ୍ତି ଯେ, “ବିଜେଡି ଛାଡିଥିଲେ ମଧ୍ୟ ମୋର ଲକ୍ଷ୍ୟ ଓ ଉଦେଶ୍ୟ ପୂର୍ବ ପରି ସମାନ ରହିବ ଓ ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ର ରେ ପଛରେ ପଡ଼ିଥିବା ବଣ୍ଡା, ଡିଦାୟୀ, କୋୟା, ଗାଦବା ଭଳି ଜନଜାତି ଙ୍କ ବିକାଶ କୁ ପ୍ରାଥମିକତା ଦେବା ସହ ସମଗ୍ର ନିର୍ବାଚନ ମଣ୍ଡଳୀ ର ଉନ୍ନତି ପାଇଁ ପ୍ରୟାସ ଜାରି ରଖିବେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।
ଶେଷରେ ନିରାଶ ହୋଇ କହିଥିଲେ ଯେ ରାଜ୍ୟ ତଥା ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସ୍ବାଭିମାନ ରକ୍ଷା ଓ ସେବା ମନୋଭାବକୁ ଦୃଷ୍ଟିରେ ରଖି ଏହି କଠୋର ନିଷ୍ପତ୍ତି ନେଇଛି ଓ ବିଜେଡିରେ ରହି ଏହା କରିପାରିବି ନାହିଁ ବୋଲି ମୁଁ ଅନୁଭବ କରୁଛି । ମୋ ସମର୍ଥକ ଓ କର୍ମୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଏହି ନିଷ୍ପତ୍ତି ନେଉଛି । ତେଣୁ ବର୍ତ୍ତମାନ ମୁଁ ମୋର ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ମାନଙ୍କ ସହିତ ଆଲୋଚନା କରି ଆଗାମୀ ସମ୍ଭାବନା ପାଇଁ ନିଷ୍ପତି ନେବି । ଦଳରେ ମୋ ସହିତ କାମ କରିଥିବା ସମସ୍ତ ନେତା, କର୍ମୀ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି । ମିଳିଥିବା ସୂଚନା ମୁତାବକ ଆସନ୍ତା ଦିନରେ ସେ କୌଣସି ଏକ ଜାତୀୟ ଦଳରେ ସାମିଲ ହୋଇ ନିଜର ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ସୂଚନା ମିଳିଛି ।