ବିପ୍ଲବୀ ପରିକ୍ରମା ଡିଜିଟାଲ :- ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପହଲଗାମ କାଣ୍ଡ ପରେ ପ୍ରଥମ ପ୍ରତିକ୍ରିୟା ଦେଇ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି । କହିଛନ୍ତି ଅପରେସନ ସିନ୍ଦୂର କେବଳ ଗୋଟିଏ ନାଁ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ପ୍ରଥମେ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍ କରୁଛି ବୀର ଯବାନମାନେ ଅପରେସନ ସିନ୍ଦୂର ଲକ୍ଷ୍ୟ ପ୍ରାପ୍ତି ପାଇଁ ଅସୀମ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ମୁଁ ସେମାନଙ୍କ ବୀରତା ସାହସକୁ ଦେଶର ପ୍ରତ୍ୟେକ ମାଆ ଓ ଝିଅକୁ ସମର୍ପଣ କରୁଛି । ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀମାନେ ଯେଉଁ ବର୍ବରତା ଦେଖାଇଥିଲେ, ତାହା ବିଶ୍ୱକୁ ଦୋହଲାଇ ଦେଇଥିଲା । ନିର୍ଦ୍ଦୋଷଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ ଆତଙ୍କୀ । ଏହି ହତ୍ୟାକାଣ୍ଡ ଆତଙ୍କବାଦର ବୀଭତ୍ସ ଚେହେରା ଥିଲା । ଦେଶ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ । ମୋ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ଥିଲା । ଏହି ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶବାସୀ, ପ୍ରତ୍ୟେକ ବର୍ଗ ଓ ରାଜନୈତିକ ଦଳ ଏକସ୍ୱରରେ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଠିଆ ହୋଇଛନ୍ତି । ଆମେ ଆତଙ୍କୀଙ୍କୁ ମାଟିରେ ମିଶାଇବାକୁ ଭାରତୀୟ ସେନାର ହାତ ଖୋଲି ଦେଇଥିଲୁ । ଆଜି ପ୍ରତ୍ୟେକ ଆତଙ୍କୀ ସଂଗଠନ ଜାଣିଲା, ଆମ ଝିଅଙ୍କ ମଥାରୁ ସିନ୍ଦୂର ପୋଛିବାର ପରିଣାମ କଣ । ‘ଅପରେସନ ସିନ୍ଦୂର’ କେବଳ ଗୋଟିଏ ନାଁ ନୁହେଁ, ଏହା କୋଟିକୋଟି ଦେଶବାସୀଙ୍କ ଭାବନାର ପ୍ରତିବିମ୍ବ । ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ମେ ୬ ତାରିଖ ରାତି ଓ ମେ ୭ ସକାଳୁ ଏହି ପ୍ରତିଜ୍ଞା ପରିମାଣର ରୂପ ନେଉଥିବା ଦେଖିଥିଲା ସାରା ବିଶ୍ୱ । ଯବାନମାନେ ଆତୀଙ୍କ ଟ୍ରେନିଂ ସେଣ୍ଟର ଉପରେ ପ୍ରହାର କରିଥିଲେ । ଭାରତ ଏତେ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆତଙ୍କୀମାନେ ସ୍ୱପ୍ନରେ ବି ଭାବିନଥିଲେ ।
କିନ୍ତୁ ଯେତେବେଳେ ରାଷ୍ଟ୍ର ସର୍ବୋପରି ହୋଇଥାଏ, ସେତେବେଳେ ପରିଣାମ ଦେଖାଇବାକୁ ପଡ଼େ ।“ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ଯେତେବେଳେ ପାକିସ୍ତାନର ଆତଙ୍କୀ ଆଡ୍ଡାରେ ଭାରତର ମିସାଇଲ ଓ ଡ୍ରୋନ୍ ହମ୍ଲା କରିଥିଲା, ସେତେବେଳେ ସେମାନଙ୍କ ଧୈର୍ଯ୍ୟ ବି ଥରହର ହୋଇ ଉଠିଥିଲା । ବହାବଲପୁର ଓ ମୁରିଦିକେ ଆତଙ୍କୀଙ୍କ ଗ୍ଲୋବାଲ ୟୁନିଭର୍ସିଟି । ଦଶକଦଶକ ଧରି ଆତଙ୍କୀ ସମ୍ପର୍କ ଏହି ଠିକଣା ସହ ଯୋଡ଼ି ହୋଇ ରହିଥିଲା । ଆତଙ୍କୀମାନେ ଆମ ଭଉଣୀମାନଙ୍କ ସିନ୍ଦୂର ଉଜାଡ଼ି ଦେଇଥିଲେ । ଏବେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମୃତ୍ୟୁ ମିଳିଛି । ଆତଙ୍କୀ ଆକା ଦୁଇ ଦଶକ ହେଲା ଏଠାରେ ଖୁଲମଖୁଲା ବୁଲୁଥିଲେ । ଗୋଟିଏ ଝଟକାରେ ସବୁ ଶେଷ କରିଦେଲେ ଭାରତୀୟ ଯବାନ । ପାକିସ୍ତାନର ଡ୍ରୋନ୍ ଓ ମିସାଇଲକୁ ଆକାଶରେ ନଷ୍ଟ କଲା ଭାରତର ଏୟାର ଡିଫେନ୍ସ ସିଷ୍ଟମ । ପାକିସ୍ତାନର ପ୍ରସ୍ତୁତି ସୀମା ଆଟାକ୍ କରିବାର ଥିଲା । କିନ୍ତୁ ଭାରତର ମିସାଇଲ ପାକିସ୍ତାନ ଛାତି ଉପରେ ମାଡ଼ କରିଛି । ପାକିସ୍ତାନର ଏୟାରବେସ୍ ନଷ୍ଟ କରିଛି ଭାରତ । କେବେ ଚିନ୍ତା କରିନଥିଲା ପାକିସ୍ତାନ । ଭାରତର ଆକ୍ରାମକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ବଞ୍ଚିବା ରାସ୍ତା ଖୋଜିବାରେ ଲାଗିଥିଲା । ସାରା ବିଶ୍ୱ ଆଗରେ ନେହୁରା ହେବାରେ ଲାଗିଥିଲା । ମେ ୧୦ରେ ଆମ ଡିଜିଏମ୍ଓ ସହ କଥା ହୋଇଥିଲେ ପାକିସ୍ତାନ ଡିଜିଏମ୍ଓ । ପାକିସ୍ତାନ ଗୁହାରି କରିଥିଲା ଯେ, ତାଙ୍କ ପଟୁ ଆଗକୁ କୌଣସି ଆତଙ୍କୀ ଗତିବିଧି କିମ୍ବା ସୈନ୍ୟ ଦୁଃସାହାସ କରାଯିବ ନାହିଁ । ଏହାପରେ ଯୁଦ୍ଧ ବିରତି ହୋଇଥିଲା । କିନ୍ତୁ ଏବେ କେବଳ ଅପରେସନ ସିନ୍ଦୂରକୁ ସ୍ଥଗିତ କରାଯାଇଛି ।“