ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ,ମୁଁ କ’ଣ ସେଠି ଯାଇ ତାଳି ମାରିବି ? କିଛି ଏମିତି କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ । ଶ୍ରୀରାମ ମନ୍ଦିରକୁ ନେଇ ଯେମିତି ଭାବେ ରାଜନୀତି କରାଯାଉଛି ତାହା ଆଦୌ ଗ୍ରହଣୀୟ ନୁହେଁ । ଏହାସହ ଧର୍ମସ୍ଥଳ ଗୁଡିକୁ ଯେଉଁଭଳି ନବୀନକରଣ କରାଯାଇ କରିଡର ବନାଯାଉଛି ତାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।
ଜାନୁଆରୀ ୨୨ରେ ଅଯୋଧ୍ୟା ଶୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ସମାରୋହକୁ ଐତିହାସିକ ବନାଇବାକୁ ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ ପୁରା ଦମରେ ଲାଗିଛନ୍ତି । ଶ୍ରୀରାମ ମନ୍ଦିରର ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏବେ ଏହାକୁ ସଜ୍ଜିତ କରାଯାଉଛି । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଖ୍ୟ ଯଜମାନ ଭାବେ ଚୟନ କରାଯାଇ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ରାମଲାଲାଙ୍କ ଭବ୍ୟ ମୂର୍ତ୍ତିକୁ ମଧ୍ୟ ଗର୍ଭ ଗୃହ ସିଂହାସନରେ ଅଧିଷ୍ଠିତ କରାଇବା ଦାୟିତ୍ୱ ମଧ୍ୟ ମୋଦୀଙ୍କୁ ଦିଆଯାଇଥିବା ସୂଚନା ରହିଛି । କିନ୍ତୁ ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବିରୋଧ କରିବା ସହ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବୁଧବାର ରତଲାମରେ ଆୟୋଜିତ ଏକ ଧାର୍ମିକ ସମ୍ମିଳନୀରେ ଯୋଗ ଦେବା ଅବସରରେ ତାଙ୍କୁ ଏନେଇ ସାମ୍ବାଦିକ ମାନେ ପ୍ରଶ୍ନ କରିଥିବାବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ‘ ଅଯୋଧ୍ୟା ଶ୍ରୀରାମମନ୍ଦିରକୁ ମୋଦୀଜୀ ଲୋକାର୍ପଣ କରିବେ । ମୂର୍ତ୍ତିକୁ ସ୍ପର୍ଶ କରି ପ୍ରତିଷ୍ଠା କରିବେ । ମୁଁ କ’ଣ ସେଠି ଛିଡା ହୋଇ ତାଳି ମାରି ଜୟ ଜୟକାର କରିବି? ମୋ ପଦର ମଧ୍ୟ ମର୍ଯ୍ୟାଦା ରହିଛି ଏବଂ ରାମ ମନ୍ଦିରର ପ୍ରତିଷ୍ଠା ଶାସ୍ତ୍ର ଅନୁସାରେ ହେବା ଉଚିତ । କିନ୍ତୁ ଏଭଳି ଅୟୋଜନକୁ ମୁଁ ଯିବି ନାହିଁ ବୋଲି ରୋକଠୋକ ଶୁଣେଇ ଦେଇଛନ୍ତି ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ।