ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଏହା ଭିତରେ ତିନି ଦିନ ବିତିଲାଣି । ହେଲେ, ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଉଁଠି ରହିବେ ତାହା ଚୂଡାନ୍ତ ହୋଇପାରି ନାହିଁ । ରାଜ୍ୟ ଅତିଥି ଭବନରୁ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ କାମ କରୁଥିଲେ ବି, ତାଙ୍କ ପାଇଁ ଘର ଖୋଜା ଚାଲିଛି ।ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ରାଜ୍ୟ ଅତିଥି ଭବନ ରହୁଛନ୍ତି ଓ ଅଫିସ ଚଳାଉଛନ୍ତି ମୋହନ ଚରଣ ମାଝୀ । ରାଜ୍ୟ ଅତିଥି ଭବନ ହିଁ ତାଙ୍କ ପାଇଁ ବାସଭବନ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପାଲଟିଛି । ଏଇଠି ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ସାଧାରଣ ଲୋକଙ୍କୁ ସାକ୍ଷାତ କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅଚାନକ କ୍ଷମତା ପରିବର୍ତ୍ତନ ସହ ନୂଆ କ୍ଷମତା କେନ୍ଦ୍ରର ଆବଶ୍ୟକତା ପଡିଛି ।
ଆଉ ସେଥିପାଇଁ ତତ୍ପର ହୋଇପଡିଛି ସାଧାରଣ ପ୍ରଶାସନ ବିଭାଗ । ଏମିତି ଏକ ସରକାରୀ କ୍ୱାର୍ଟର ଖୋଜୁଛି ଜିଏ ବିଭିଗ ଯେଉଁଠି ସବୁ ପ୍ରକାର ସୁବିଧା ସୁଯୋଗ ସହ ରହିପାରିବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ।ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ନବୀନ ନିବାସରେ ହିଁ ରହିଥିଲେ । ତେଣୁ ଆଉ ମୁଖ୍ୟମନ୍ତ୍ରୀ ଆବାସର ଆବଶ୍ୟକତା ଅନୁଭବ ହୋଇନଥିଲା । ଏବେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ସହ ଖୋଜା ପଡିଛି ନୂଆ ମୁଖ୍ୟମନ୍ତ୍ରୀ ଆବାସ ।