ସୁବର୍ଣ୍ଣପୁର ( ବିପ୍ଲବୀ ପରିକ୍ରମା ):- ଆସନ୍ତା କାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫) ରେ ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ଏଥିପାଇଁ ୩୧୯ ଟି ମତଦାନ କେନ୍ଦ୍ର କରାଯାଇଥିବାବେଳେ ସେଥି ମଧ୍ୟରେ ୮ ଟି ସଖୀ ବୁଥ ରହିଛି । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪) ରେ ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେବେ ।
ଏଥିପାଇଁ ୨୬୭ ଟି ବୁଥ ହୋଇଥିବାବେଳେ ୫ ଟି ସଖୀ ବୁଥ କରାଯାଇଥିବା ସୂଚନା ମିଳିଛି । ଆଜି ସମସ୍ତ ମତଦାନ କେନ୍ଦ୍ରରେ ପହଞ୍ଚିବେ ପୋଲିଙ୍ଗ୍ ପାର୍ଟି । ଏଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ସହିତ ପୋଲିଙ୍ଗ ପାର୍ଟିମାନକୁ ପଠାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୫୮୬ ବୁଥ ରହିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଖରା ହେଉଥିବାରୁ ପ୍ରତ୍ୟେକ ବୁଥରେ ପାନୀୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ ୯୦ ଟି ସମ୍ବେଦନଶୀଳ ଓ ୩୦ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅନ୍ୟପଟେ ବୁଥକୁ ଯାଉଥିବା ପ୍ରିଯାଇଡିଂ ଅଫିସରମାନେ ସମସ୍ତ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।