ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସଂସଦରେ ସୁରକ୍ଷା ଭଙ୍ଗ ଅଭିଯୋଗରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଲୋକସଭାରେ ଶୂନ୍ୟକାଳ ଚାଲିଥିବା ବେଳେ ଅଚାନକ ଦର୍ଶକ ଗ୍ୟାଲେରୀରୁ ସାଂସଦଙ୍କ ଆସନ ଉପରକୁ କୁଦି ପଡ଼ିଥିବା ସାଗର ଓ ମନୋରଞ୍ଜନଙ୍କୁ ଗିରଫ କରିଛି ପୁଲିସ। ସୁରକ୍ଷା ତ୍ରୁଟିକୁ ନେଇ ୧୫ ସୁରକ୍ଷା କର୍ମୀଙ୍କୁ ନିଲମ୍ୱନ କରାଯାଇଥିବାବେଳେ ଦର୍ଶକ ଗ୍ୟାଲେରୀରୁ ଗୃହ ଭିତରକୁ ଡେଇଁଥିବା ଓ ଟ୍ରାନ୍ସପୋର୍ଟ ଭବନ ଆଗରେ ୧୪୪ ଧାରା ଉଲ୍ଲଂଘନ କରି କଲର ଗ୍ୟାସ୍ ସ୍ପ୍ରେ ଧରି ଆତଙ୍କ ଖେଳାଇଥିବା ସମସ୍ତଙ୍କ ବ୍ୟାକଗ୍ରାଉଣ୍ଡକୁ ତର୍ଜମା କରିବା ସହିତ ସେମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ପୁଲିସ। ହେଲେ ଏମାନଙ୍କ ପଛରେ କିଏ। ଏଭଳି ଆତଙ୍କ ସୃଷ୍ଟି ପଛର କାରଣ ସମସ୍ତଙ୍କୁ ଆନ୍ଦୋଳିତ କରୁଥିଲା ବେଳେ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। ତେବେ ଯୋଜନା ଅନୁସାରେ ପାସ୍ ମିଳିଥିବା ସାଗର ଓ ମନୋରଞ୍ଜନ ଧୂଆଁ ସ୍ପ୍ରେ ନେଇ ସଂସଦରେ ପଶିଥିଲେ। ନୀଲମ ଓ ଅନମୋଲ ସଂସଦ ବାହାରେ ନାରା ଦେଇ ଧୂଆଁ ସ୍ପ୍ରେ କରିଥିଲେ। ଆଉ ବିଶାଲ ଓ ଲଳିତ ସୋସିଆଲ ମିଡ଼ିଆରେ ଏ ଘଟଣାର ଲାଇଭ ପ୍ରସାରଣ କରିଥିଲେ। ଅପରାଧିକ ଷଡ଼ଯନ୍ତ୍ର, ଦଙ୍ଗା ଉଦେଶ୍ୟରେ ଉସୁକାଇବା, ସରକାରୀ କାମରେ ବାଧା ଦେବା ସମେତ ଦେଶଦ୍ରୋହ ମାମଲା ରୁଜୁ କରିଛି ପୁଲିସ। ୪ ଜଣଙ୍କୁ ଗିରଫ ସହ ଭିକି ଓ ତାଙ୍କ ପତ୍ନୀଙ୍କୁ ଜେରା କରାଯାଉଥିବା ପୁଲିସ ସୂଚନା ଦେଇଥିଲା। ସେପଟେ ସୁରକ୍ଷା ତ୍ରୁଟିକୁ ନେଇ ସୁରକ୍ଷା ଦାୟିତ୍ୱରେ ଥିବା ୧୫ ଜଣ କର୍ମଚାରୀଙ୍କୁ ନିଲମ୍ୱିତ କରିଛି ଲୋକସଭା ସେକ୍ରେଟାରିଏଟ। ଘଟଣା ପରେ କେବଳ ମକର ଦ୍ୱାର ଦେଇ ସାଂସଦଙ୍କୁ ଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଅନ୍ୟମାନଙ୍କ ପ୍ରବେଶ ବେଳେ ସେମାନଙ୍କ ଜୋତା ଖୋଲି ବି ସନ୍ଧାନ କରିଥିଲେ ସୁରକ୍ଷାକର୍ମୀ। ଗଣମାଧ୍ୟମକୁ ବି ପୂର୍ବ ନିର୍ଧାରିତ ସ୍ଥାନରୁ କିଛି ଦୂରକୁ କଭରେଜ କରିବାକୁ ସ୍ଥାନ ଦିଆଯାଇଛି ଏବଂ ସମସ୍ତଙ୍କୁ କଡ଼ା ଚେକିଂ କରାଯାଇଛି।
ଅନ୍ୟପଟେ ବିଜେପି ସାଂସଦ ପ୍ରତାପ ସିମ୍ହାଙ୍କ ଭିଜିଟର ପାସରେ ସାଗର ଓ ମନୋରଞ୍ଜନ ପ୍ରବେଶ କରିଥିବାରୁ ଅନେକ ପ୍ରଶ୍ନ ଉଠିଥିବାରୁ ମହୀଶୁର ଓ ବେଙ୍ଗାଲୁରୁରେ ସାଂସଦ ପ୍ରତାପଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଛି କଂଗ୍ରେସ। ଦେଶଦ୍ରୋହୀ ପ୍ରତାପଙ୍କୁ ଗୃହରୁ ନିଲମ୍ୱନ କରାଯିବ ସହିତ ତାଙ୍କ ବିରୁଦ୍ଧରେ ଆକ୍ସନ ନିଆଯାଉ ବୋଲି ଦାବି କରିଛି କଂଗ୍ରେସ। ସେପଟେ ଯେହେତୁ ସଂସଦର ସୁରକ୍ଷା ଦେଶର ଅସ୍ମିତାର ପରିଚୟତେଣୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ଅଛି ବୋଲି କହିଛି ଶାସକ ଦଳ। ମୋଦି ସରକାର ଏ ବାବଦରେ ଶୂନ୍ୟ ସହଶୀଳତାନୀତି ଆପଣାଇଛନ୍ତି। ସଂସଦର ସୁରକ୍ଷା ତ୍ରୁଟି ସନ୍ଦର୍ଭରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ନେବେ ସରକାର। କିନ୍ତୁ ଏମାନଙ୍କୁ ପାସ୍ ଦେଇଥିବା ବିଜେପି ସାଂସଦ ପ୍ରତାପଙ୍କ ସମ୍ପର୍କରେ କଅଣ ଆକ୍ସନ ହେବ, ତାକୁ ନେଇ ଜିଦ୍ ଧରିଛନ୍ତି ବିରୋଧୀ l